ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି କୃଷି କ୍ୟାବିନେଟ ବୈଠକ ! ଫସଲହାନୀ, ପୋକ ଏବଂ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା ସଂଭାବନା

24

କନକ ବ୍ୟୁରୋ : ଆଜି ରାଜ୍ୟ ସଚିବାଳୟରେ ବସୁଛି କୃଷି କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବସୁଛି ଏହି ବୈଠକ । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସବୁ ନିଆଯାଇପାରେ ବୋଲି ଅନୁମାନ କରାଯାଉଛି । ବିଶେଷ କରି ଚାଷୀ ଆତ୍ମହତ୍ୟା ଖବର, ଚକଡ଼ା ପୋକ ଯୋଗୁଁ ଫସଲହାନୀ ଏବଂ ଜମିରେ ନିଆଁ ଲଗାଇବା ନେଇ ଆଲୋଚନା ହୋଇପାରେ । ଏହା ସହ ଚାଷୀଙ୍କ ପାଇଁ ବଡ ପ୍ୟାକେଜ୍ ଘୋଷଣା ହେବା ନେଇ ଅନୁମାନ କରାଯାଉଛି । କ୍ରମାଗତ ଭାବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଫସଲ ପୋଡ଼ିବାର ଖବର ଏବଂ ଚାଷୀ ଆତ୍ମହତ୍ୟା ଭଳି ଖବର ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଚାଷୀ ଆତ୍ମହତ୍ୟାର ଖବର ଆସୁଛି ।

NABIN PATTANAIKରାଜ୍ୟ ସରକାରଙ୍କ ଚକଡା ପୋକ ଚିନ୍ତା । ଚକଡା ପୋକ ଯୋଗୁଁ ନଷ୍ଟ ହୋଇଯାଇଥିବା ଫସଲର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେଇସାରିଛନ୍ତି ୯ଟି ଜିଲ୍ଲାର ଜିଲ୍ଲାପାଳ । ଏଗୁଡିକୁ ସମୀକ୍ଷା କରି କାହାକୁ ଓ କେତେ ପରିମାଣର କ୍ଷତିପୂରଣ ଦିଆଯିବ ସେନେଇ ଚୂଡାନ୍ତ କରିବାକୁ ଆଜି ରାଜସ୍ୱ, କୃଷି ଓ ସମବାୟ ବିଭାଗ ସହ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୋଟ ୯ଟି ଜିଲ୍ଲାର ୯୨ଟି ବ୍ଲକରେ ୧ଲକ୍ଷ ୭୮ହଜାର ୯୩୨ ହେକ୍ଟର ଜମିର ଧାନ ଫସଲ ପ୍ରଭାବିତ ହୋଇଛି । ବରଗଡ ଜିଲ୍ଲାର ସର୍ବାଧିକ ୪୩ହଜାର ୩୭ ହେକ୍ଟର ଜମିର ଫସଲ ୩୩ରୁ ୫୦ ପ୍ରତିଶତ ନଷ୍ଟ ହୋଇଛି ବୋଲି ରିପୋର୍ଟ ଦିଆଯାଇଛି । ଦ୍ୱିତୀୟରେ ସମ୍ବଲପୁର ଜିଲ୍ଲାର ୩୬ହଜାର ୫୭ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି । ତେବେ ଗଞ୍ଜାମ ଜିଲ୍ଳାର ସର୍ବାଧିକ ୨୦ଟି ବ୍ଲକର ଫସଲ କ୍ଷତିଗ୍ରସ୍ତ ହୋଇଛି । ତାପଛକୁ କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାର ୧୪ଟି ଲେଖାଏ ବ୍ଲକ ପ୍ରଭାବିତ ହୋଇଛି ।