ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି -୫ର ପରୀକ୍ଷା ଆଜି । ପରମାଣୁ କ୍ଷମତା ସଂପନ୍ନ ବାଲାଷ୍ଟିକ ଶତ୍ରୁକୁ ଦେବ ଦୃଢ ଜବାବ
କନକ ବ୍ୟୁରୋ : ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ଆସନ୍ତା କାଲି ବଙ୍ଗୋପସାଗର ପୂର୍ବ ଉପକୂଳସ୍ଥ ଅବଦୁଲ କାଲାମ ଦ୍ୱୀପର ୪ନମ୍ବର ଲଂଚପ୍ୟାଡ଼ରୁ ଶକ୍ତିଶାଳୀ ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷା ହେବ। ସକାଳ ୧୦ଟାରୁ ୧୦.୩୦ ମଧ୍ୟରେ ଏହି ପରୀକ୍ଷା ହେବ ବୋଲି ସୂଚନା ମିଳିଛି। ଚୀନର ଅନ୍ତଃ ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ଡଙ୍ଗପେଙ୍ଗ-୫(କ)କୁ ଟକ୍କର ଦେବାକୁ ଭାରତ ଅଗ୍ନି-୫କୁ ପ୍ରସ୍ତୁତ କରିଛି। ଅଗ୍ନି-୫ର ଉତକ୍ଷେପଣ ପାଇଁ ଅବଦୁଲ କାଲାମ ଦୀପରେ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ପରମାଣୁ କ୍ଷମତା ସଂପନ୍ନ ଏହି ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଅଗ୍ନି-୫ର ଲମ୍ବ ୧୭.୫ ମିଟର, ମୋଟେଇ ୨ ମିଟର ଓ ଏହାର ଓଜନ ୫୦ ଟନ୍। ଏହି କ୍ଷେପଣାସ୍ତ୍ରରେ ୧.୫ ଟନ୍ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ତିନି ଷ୍ଟେଜ ବିଶିଷ୍ଟ କଠିନ ଇନ୍ଧନ ଆବଶ୍ୟକ କରୁଥିବା ଅଗ୍ନି-୫ର କ୍ଷମତା ୫୦୦୦ ରୁ ୮୦୦୦ କିଲୋମିଟର। ପୂର୍ବରୁ ୨୦୧୨, ୨୦୧୩, ୨୦୧୫ ଓ ୨୦୧୬ରେ ଅଗ୍ନି- ୫ର ପରୀକ୍ଷା ସଫଳ ହୋଇଥିଲା।
୨୦୧୦ ଡିସେମ୍ବର ୧୦ରେ ଅଗ୍ନି ସିରିଜର ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷା ହୋଇଥିଲା। ୨୦୧୧ ନଭେମ୍ବର ୧୫ରେ ଅଗ୍ନି-୨, ୨୦୧୨ ସେପ୍ଟେମ୍ବର ୧୯ରେ ଅଗ୍ନି-୩, ୨୦୧୪ ଜାନୁଆରି ୨୦ରେ ଅଗ୍ନି-୪ର ପରୀକ୍ଷା ସଫଳ ହୋଇଥିଲା। ଶେଷ ଥର ପାଇଁ ଡିସେମ୍ବର ୨୬, ୨୦୧୬ରେ ଅଗ୍ନି ୫ର ସଫଳ ପରୀକ୍ଷଣ କରାଯାଇଥିଲା।