ପୁଣି ଆସୁଛନ୍ତି ଅମିତ ଶାହ : ଓଡ଼ିଶା ଉପରେ ଫୋକସ୍, ତିନି ମାସରେ ଦ୍ୱିତୀୟ କାର୍ଯ୍ୟକ୍ରମ

20

କନକ ବ୍ୟୁରୋ : କେନ୍ଦ୍ର ବିଜେପି ନେତାଙ୍କ ଫୋକସରେ ଓଡ଼ିଶା । ପୂର୍ବ ଭାରତରେ ଓଡ଼ିଶା ଏବେ ବିଜେପି ପାଇଁ ହୋଇଛି ପ୍ରୟୋଗଶାଳା । ବୁଥସ୍ତରରେ ଦଳକୁ ମଜଭୁତ କରିବା ପାଇଁ ବିଜେପି ଜାରି ରଖିଛି ମୋ ବୁଥ୍-ସବୁଠୁ ମଜଭୁତ୍ କାର୍ଯ୍ୟକ୍ରମ । ଏହିକ୍ରମରେ ପୁଣି ଥରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସେପ୍ଟେମ୍ବର ୬, ୭ ଓ ୮ ତାରିଖ ପାଇଁ ଓଡ଼ିଶା ଗସ୍ତରେ ଆସିବେ । ନବୀନ ପଟ୍ଟନାୟକ ସରକାରକୁ ହଟାଇବାକୁ ଦେବେ ଆହ୍ୱାନ ।

ସଂସଦର ନମ୍ବର ଖେଳରେ ନମ୍ବର ୱାନ୍ ହେବା ପରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ଏବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଲୋକସଭାର ବାଚସ୍ପତି ଭଳି ୪ଟି ଗୁରୁତ୍ୱପୂର୍ଣ୍ଣରେ ବସିବା, ବିଜେପି ପାଇଁ ଏକ ବଡ଼ ଉତ୍ସାହର କଥା । ତେଣୁ ଏବେ ଅଣବିଜେପି ରାଜ୍ୟଗୁଡ଼ିକ ଉପରେ କେନ୍ଦ୍ର ବିଜେପି ନେତାମାନେ ଅଧିକ ଜୋର ଦେବାକୁ ରଣକୌଶଳ ପ୍ରସ୍ତୁତ କରୁଛନ୍ତି ।

ବିଜେପିର ରାଜନୈତିକ ଗୋଟି ଚଳାଉଥିବା ଅମିତ ଶାହ ମାତ୍ର ତିନି ମାସ ମଧ୍ୟରେ ଦୁଇ-ଦୁଇ ଥର ଓଡ଼ିଶା ଆସିବାକୁ କାର୍ଯକ୍ରମ ସ୍ଥିର କରିବା ବିଜେଡିକୁ ଚିନ୍ତାରେ ପକାଇପାରେ । ୨୦୧୪ ନିର୍ବାଚନରେ ଓଡ଼ିଶାରେ ମୋଦି ହାୱା କାମ କରିନଥିଲା । କିନ୍ତୁ ଏହାପରେ ପଂଚାୟତ ନିର୍ବାଚନରେ ବିଜେପି ଆଗକୁ ବଢ଼ିଲା । ଆଉ ଏବେ ରାଜନୀତିର ପଶାପାଲିରେ ଗୋଟି ଚଳାଉଛନ୍ତି ଅମିତ ଶାହ । ଦେଖିବାର କଥା ହେଉଛି, ଓଡ଼ିଶା ଲୋକ କାହାକୁ ପସନ୍ଦ କରୁଛନ୍ତି ।