ରାମ ରହିମଙ୍କ ପରେ କିଏ ସମ୍ଭାଳିବ ଡେରା? ଜେଲ ଭିତରୁ ନିଜର ସାମ୍ରାଜ୍ୟ ଚଳାଇ ପାରନ୍ତି ବାବା

68

କନକ ବ୍ୟୁରୋ: ରାମରହିମଙ୍କ ପରେ କିଏ ସମ୍ଭାଳିବ ଡେରା । ଆସନ୍ତା ୨୮ରେ କୋର୍ଟ ଦଣ୍ଡାଦେଶ ଶୁଣାଇବା ପରେ ଡେରା ସଚ୍ଚା ମୁଖ୍ୟ ଗୁରମିତ ରାମରହିମ ଜେଲ୍ ଯିବା ଏକ ପ୍ରକାର ନିଶ୍ଚିତ । ତେଣୁ ଏଠାରେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି ତାଙ୍କ ପରେ କିଏ ହେବ ଡେରା ମୁଖ୍ୟ । ଏମିତି ବି ଚର୍ଚ୍ଚା ହେଉଛି ଯେ ବାବା ରାମରହିମ ଜେଲ ଭିତରୁ ନିଜର ସାମ୍ରାଜ୍ୟ ଚଳାଇ ପାରନ୍ତି ।

ସେ କାହାକୁ ନିଜର ଉତ୍ତରାଧିକାରୀ ଘୋଷଣା କରି ନଥିବାରୁ ତାଙ୍କ ପୁଅ ଜସମିତ ସିଂହ ଇନସାଙ୍କ ହାତରେ ଡେରା କ୍ଷମତା ରହିପାରେ । ଏହା ସହ ରାମରହିମଙ୍କ ଦୁଇ ଝିଅ ଚରଣପ୍ରୀତ ଇନସା ଓ ଅମନପ୍ରୀତ ଇନସା ଅଛନ୍ତି । ତେବେ ଏମାନଙ୍କ ହାତକୁ କ୍ଷମତା ଯିବାରେ ସବୁଠୁ ବଡ ବାଧା ହେଉଛି ଡେରାର ନିୟମ । କାରଣ ଡେରା ପ୍ରମୁଖଙ୍କ ପରିବାରରୁ କେହି ପରବର୍ତ୍ତି ପ୍ରମୁଖ ହୋଇ ପାରିବେନି । ତେବେ ରାମରହିମଙ୍କ ଆଉ ଜଣେ ପାଳିତା ଝିଅ ହନିପ୍ରୀତ ଇନସା ବି ଅଛନ୍ତି । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ଏ ସମସ୍ତଙ୍କ ବ୍ୟତୀତ ଆଉ ଜଣଙ୍କ ନାଁ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି । ସେ ହେଲେ, ଡେରାର ୩୫ ବର୍ଷୀୟା ଗୁରୁ ବ୍ରହ୍ମଚାରୀ ବିପସନା । ରାମରହିମଙ୍କ ପରେ ଡେରା ଉପରେ ସବୁଠୁ ଅଧିକ ପ୍ରଭାବ ହେଉଛି ବିପସନାଙ୍କର । ତାଙ୍କ ଅଧିନରେ ୨୫୦ ଲୋକଙ୍କ ଏକ ଟିମ୍ ରହିଛି ଯେଉଁଥିରୁ ୧୫୦ ଜଣ ହେଉଛନ୍ତି ମହିଳା । ତେବେ ବିପସନାଙ୍କ ପରି ରାମରହିମଙ୍କ ପାଳିତା କନ୍ୟା ୩୫ ବର୍ଷୀୟା ହନିପ୍ରୀତ ମଧ୍ୟ ଗୁରୁ ବ୍ରହ୍ମଚାରୀ । ବିପସନା ଓ ହନିପ୍ରୀତ ଉଭୟ ବାବା ରାମରହିମଙ୍କ ବିଶ୍ୱସ୍ତ ଓ ନିକଟତମ । ତେଣୁ ରାମରହିମ ଜେଲ ଯିବା ପରେ କ୍ଷମତା ଏହି ଦୁଇଜଣଙ୍କ ହାତରେ ରହିବା ନେଇ ବେଶ୍ ଚର୍ଚ୍ଚା ହେଉଛି ।