ହସ ହସ ମୁହଁରେ ଭାରତ ମାଟିରେ ପାଦ ଥାପିଥିଲେ ଅଭିନନ୍ଦନ ! କହିଲେ, ମୋ ଦେଶକୁ ଫେରି ଭଲ ଲାଗୁଛି

229

କନକ ବ୍ୟୁରୋ : ଶେଷରେ ଅପେକ୍ଷାର ଅନ୍ତ ଘଟିଛି । ପ୍ରାୟ ୬୦ ଘଂଟା ପରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଦେଶର ବୀର ସନ୍ତାନ ଅଭିନନ୍ଦନ ବର୍ଥମାନ । ପାକିସ୍ତାନରୁ ଫେରିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ । ୨ ଦିନ ଧରି ପାକ୍ କବଜାରେ ରହିବା ପରେ ଶୁକ୍ରବାର ୱାଘା ବର୍ଡର ଦେଇ ଭାରତ ଫେରିଛନ୍ତି ବୀର ଯବାନ ଅଭିନନ୍ଦନ । ଶୁକ୍ରବାର ରାତି ପ୍ରାୟ ୯ଟା ୨୫ ମିନିଟରେ ୱାଘା ବର୍ଡର ଦେଇ ଭାରତ ମାଟିରେ ପାଦ ରଖିଥିଲେ ସେ । ସେହି ହସ ହସ ମୁହଁ । ଛାତି ଚଉଡା କରି ଶତ୍ରୁ ଦେଶର ମାଟିରୁ ଆସି ଭାରତ ମାଟିରେ ପାଦ ରଖିଥିଲେ ଅଭିନନ୍ଦନ । ଦେଶକୁ ଫେରି ଭଲ ଲାଗୁଛି ବୋଲି କହିଥିଲେ ଅଭିନନ୍ଦନ ।

ଅଭିନନ୍ଦନ ଭାରତ ମାଟିରେ ପାଦ ରଖିବାର ଖବର ଟେଲିଭିଜନରେ ପ୍ରସାର ହେବା କ୍ଷଣି, ଦେଶର ବିଭିନ୍ନ ଅଂଚଳରେ ଆରମ୍ଭ ହୋଇଥିଲା ଉତ୍ସବ । ସତେ ଯେମିତି ଏହି ମୁହୁତ୍ତକୁ ସାରାଦେଶ ଅପେକ୍ଷା କରି ରହିଥିଲା, ତେବେ ଏହି ହସ୍ତାନ୍ତରରେ ଅନେକ ସମୟ ବିଳମ୍ବ ହୋଇଥିଲା । ପ୍ରଥମେ କୁହାଯାଉଥିଲା ଅପରାହ୍ନ ୪ ଟାରେ ଆସିବେ ଅଭିନନ୍ଦନ । ତେବେ ଭାରତୀୟ ୱିଙ୍ଗ ପାଇଲଟ୍ଙ୍କୁ ଫେରାଇବା ନେଇ ଦୁଇ ଦେଶ ମଧ୍ୟରେ କାଗଜପତ୍ର ଯାଂଚ୍ ପ୍ରକ୍ରିୟାର ଜଟିଳ କାର୍ଯ୍ୟ ପାଇଁ ଲାଗି ଯାଇଥିଲା ପ୍ରାୟ ୪ ଘଂଟାରୁ ଅଧିକ ସମୟ ।

ଲାହୋରରୁ ଦିନ ପ୍ରାୟ ୧୨ଟାରେ ସ୍ଥଳ ପଥରେ ବାହାରିଥିଲେ , ୱାଘା ବର୍ଡରରେ ପହଁଚିବା ବେଳକୁ ଅପରାହ୍ନ ସାଢେ ୪ଟା ହୋଇ ସାରିଥିଲା । ପାକିସ୍ତାନର ବିଟିଙ୍ଗ ଦ ରିଟ୍ରିଟ୍ ପାଇଁ ସେଠାରେ ଫସିଗଲେ ରାସ୍ତାରେ । ଏହା ସରିବା ପରେ ଶୁକ୍ରବାର ସାଢେ ୬ଟାରୁ ଅଭିନନ୍ଦନଙ୍କୁ ପାକିସ୍ତାନ, ଭାରତକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଥିଲା । ଏହି ପ୍ରକ୍ରିୟା ରାତି ସାଢେ ୯ଟା ଯାଏଁ ଚାଲିଥିଲା । ଶେଷରେ ରାତି ପ୍ରାୟ ସାଢେ ୯ ଟାରେ ପାକିସ୍ତାନ, ୱାଘା ବର୍ଡରରେ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିଥିଲା । ଅଭିନନ୍ଦନଙ୍କୁ ହସ୍ତାନ୍ତର ପରେ ତାଙ୍କର ଏସଓପି ଅନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ଏହାପରେ ୱାଘା ବର୍ଡରରୁ ତାଙ୍କୁ ଅମ୍ରିତସର ବିମାନ ବନ୍ଦରରୁ ନିଆଯାଇ, ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଣାଯାଇଛି । ଦିଲ୍ଲୀରେ ସେନା ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯାଇଛି । କୁହାଯାଉଛି ପାରାଚୁଟରୁ ଖସିବା ବେଳେ ତାଙ୍କ ପିଠିରେ ଆଘାତ ଲାଗିଛି । ଆଗାମୀ ୩ ମାସ ପାଇଁ ସେ ବିମାନ ଉଡାଇ ପାରିବେ ନାହିଁ ।