ବହୁ ଚର୍ଚ୍ଚିତ ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡ ! ମାଷ୍ଟର୍ ମାଇଣ୍ଡକୁ ଧରିବା ପାଇଁ ଦାବି କରିଛନ୍ତି ବିଧାୟିକା ପତ୍ନୀ

30

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ କିଏ? ଏହି ବୀଭତ୍ସ ହତ୍ୟାକାଣ୍ଡରେ ୪ ଜଣଙ୍କୁ ଜେଲ ଦଣ୍ଡାଦେଶ ହେବା ପରେ ମାଷ୍ଟର ମାଇଣ୍ଡକୁୁ ଧରିବା ପାଇଁ ଦାବି କରିଛନ୍ତି ବିଧାୟିକା ପତ୍ନୀ । କନକ ନ୍ୟୁଜକୁ ଫୋନ ଯୋଗେ ପ୍ରତିକ୍ରିୟା ଦେଇ ଡିଜିଙ୍କୁ ଭେଟିବେ ବୋଲି କହିଛନ୍ତି ଟିଟଲାଗଡ ବିଧାୟିକା ଟୁକୁନି ସାହୁ ।

୨୦୧୩ର ଏହି ହତ୍ୟା ମାମଲାରେ ୪ ଜଣଙ୍କୁ ଜେଲ ଦଣ୍ଡାଦେଶ ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି । ଗତ କାଲି ଏହି ହତ୍ୟା ମାମଲାରେ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଟିଟିଲାଗଡ ଏଡିଜେ କୋର୍ଟ । ମୁଖ୍ୟ ଦୋଷୀ ଆଲୋକ ଦାସଙ୍କୁ ଆଜୀବନ କାରାଦଣ୍ଡ ସହ ୫ବର୍ଷ ଅତିରିକ୍ତ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।

୨୦୧୩ ଡିସେମ୍ବର ୧୫ ତାରିଖରେ ମର୍ଣ୍ଣିୱାକ୍ କରୁଥିବାବେଳେ ବିଜେଡି ନେତା ଅଭିମନ୍ୟୁ ସାହୁଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଟିଟିଲାଗଡ ଉପକଣ୍ଠରେ ପ୍ରଥମେ ଅଭିମନ୍ୟୁଙ୍କୁ ପଛପଟୁ ଗାଡିରେ ଧକ୍କା ଦିଆଯାଇଥିବାବେଳେ ପରେ ତଂଟି କାଟି ହତ୍ୟା କରିବା ସହ ଅନ୍ୟତ୍ର ଫିଙ୍ଗି ଦିଆଯାଇଥିଲା । ଏଭଳି ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡକୁ ନେଇ ଅଶାନ୍ତ ହୋଇପଡିଥିଲା ଟିଟିଲାଗଡ ।

ବିଜେଡି ନେତା ଅଭିମନ୍ୟୁଙ୍କ ସମର୍ଥକ ବିଭିନ୍ନ ସ୍ଥାନରେ ପୋଡାଜଳା କରି ଘଟଣାର ତୀବ୍ର ପ୍ରତିବାଦ କରିବା ସହ ହତ୍ୟାକାରୀଙ୍କୁ ଗିରଫ ଦାବି କରିଥିଲେ । ପରେ କ୍ରାଇମବ୍ରାଂଚ ମାମଲାର ବିଭିନ୍ନ ଦିଗକୁ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।