ଜେଲ ଗଲେ ଅଭିଜିତ୍ ଆୟାର ! ଜାମିନ ନାମଞ୍ଜୁର କଲେ SDJM କୋର୍ଟ, ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଜିତ୍ ।

75

କନକ ବ୍ୟୁରୋ : ଝାରପଡା ଜେଲ୍ ଗଲେ ଅଭିଜିତ ଆୟାର ମିତ୍ର । କୋର୍ଟରେ ହାଜର ପରେ ଅଭିଜିତଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଅଭିଜିତ ଆୟାରଙ୍କ ଜାମିନ ନାମଞ୍ଜୁର କରିଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ଅଭିଜିତ ଆୟାରଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆଜି ଅଭିଜିତଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ ।

ଓଡ଼ିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ରଖି ସାଢ଼େ ୪ କୋଟି ଲୋକଙ୍କ ଭାବାବେଗକୁ କୋଠାରଘାତ କରିଥିବା ସାମ୍ବାଦିକ ତଥା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ଆଜି ଗିରଫ କରିଥିଲା ପୁଲିସ୍ । ଆଜି ଗୃହ କମିଟିରେ ହାଜର ହେବାକୁ ଆସିଥିବା ଅଭିଜିତ୍ ଆୟାରଙ୍କୁ ଗୃହ କମିଟି ବୈଠକ ସରିବା ପରେ ତାଙ୍କୁ ପଚାରାଉଚୁରା କରିବା ପାଇଁ ନେଇଥିଲା ଭୁବନେଶ୍ୱର ସହିଦନଗର ଥାନା ପୁଲିସ୍ ।

ଅଭିଜିତ ଆୟାର, ଓଡ଼ିଶା ଆସିଥିବା ସମୟରେ କୋଣାର୍କ ମନ୍ଦିରର କଳାକୃତି ନେଇ ଅଶାଳୀନ ମନ୍ତବ୍ୟ ରଖିଥିଲେ । ଏମିତି କି ଓଡ଼ିଶା ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଜଗନ୍ନାଥ ବଙ୍ଗାଳୀଙ୍କ ଠାକୁର, ଓଡ଼ିଶା ବୋଲି କିଛି ନାହିଁ । ଏହା ଓରି ଶଳା ଶବ୍ଦରୁ ଆସିବା କହିବା ସହ ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ଚୋରି କରି ଆଣିଥିଲେ ବୋଲି ଟ୍ୱିଟର୍ ଜରିଆରେ ମତ ରଖିଥିଲେ । ଏହାକୁ ନେଇ ଓଡ଼ିଶାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବା ସହ ଅଭିଜିତ୍ ଆୟାର ମିତ୍ରଙ୍କୁ ଗିରଫ କରିବା ପାଇଁ ଦାବି ହୋଇଥିଲା । ଏହା ପରେ ଓଡ଼ିଶା ପୁଲିସ୍ ଦିଲ୍ଲୀ ଯାଇ ଅଭିଜିତଙ୍କୁ ଗିରଫ କରିଥିଲା । ତେବେ ତାଙ୍କ ଦିଲ୍ଲୀର ସାକେତ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଏହା ପରେ ଏନେଇ ସୁପ୍ରିମକୋର୍ଟକୁ ଯାଇଥିଲେ ଅଭିଜିତ୍ । ଏବଂ ସୁପ୍ରିମକୋର୍ଟ ଅଭିଜିତଙ୍କୁ ମନ୍ତବ୍ୟ ନେଇ କଡ଼ା ଟିପ୍ପଣୀ କରିଥିଲେ ।