କୋରାପୁଟରେ ପହଂଚିଲେ ସେନା ଟିମ୍ : ପାହାଡ ଧସିବା ଘଟଣାରେ ଉଦ୍ଧାର କାମରେ କରିବେ ସହାୟତା

64

କନକ ବ୍ୟୁରୋ: ରାଣୀଗଡା ପାହାଡରେ ପ୍ରଶାସନର ସବୁ ଉଦ୍ୟମ ଫେଲ ମାରିବା ପରେ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଂଚିନ୍ତି ସେନାର ଟିମ୍ । ରାଂଚିରୁ ଏହି ଆର୍ମି ଇଂଜିନିରିଂ ଟିମ୍ ଘଟଣାସ୍ଥଳରେ ପହଂଚିବା ପରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପାହାଡ ଚଢିବା ସହ ସେମାନେ ସ୍ଥିତି ପରଖୁଛନ୍ତି । ପୂର୍ବରୁ ଓଡ୍ରାଫ, ଏନଡିଆରଏଫ ଓ ପୁଲିସର ମିଳିତ ବାହିନୀ ବି ଫେଲ ମାରିଛି । ରାୟପୁର ଓ ରାଂଚରୁ ଆସିଥିବା ଆତ୍ୟାଧୁନିକ ମେସିନରେ ମଧ୍ୟ ଉଦ୍ଧାର କରା ଯାଇପାରି ନାହିଁ । ଉଦ୍ଧାର ପାଇଁ ଯେ କେହି ବି ଆସିଲେ ସ୍ଥିତି ଦେଖିବା ପରେ ହାତ ଟେକିଦେଲେ । ଫଳରେ ପ୍ରଶାସନ ନିରୁପାୟ ହୋଇ ପଥର ତଳେ ଚାପି ହୋଇରହିଥିବା ଜେସିବି ଅପରେଟରଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ଲୋଡିଥିଲା । ଏବେ ଏହି ଘଟଣାକୁ ୭ ଦିନ ବିତିଯାଇଥିବା ବେଳେ ବଡ ବଡ ପଥର ତଳେ ଦୁଇ ଜଣ ଜେସିବି ଅପରେଟର ଚାପି ହୋଇ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ତେଲିଙ୍ଗିରୀ ଜଳସେଚନ ପ୍ରକଳ୍ପ ପାଇଁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ବୋରିପୁଟ ଠାରେ ଗତ ମେ ମାସ ୩୧ ତାରିଖ ଅପରାହ୍ଣରେ ଦୁଇଟି ଜେସିବି ନେଇ ଏହାର ଅପରେଟରମାନେ ମାଟି କାଢ଼ୁଥିଲେ। ଏହି ସମୟରେ ନିକଟରେ ଥିବା ଏକ ପାହାଡ଼ ହଠାତ ଧସିଯିବା ସହିତ ଏଥିରୁ ବଡ଼ବଡ଼ ପଥର ଖଣ୍ଡମାନ ଖସି ଥିଲା। ପଥର ଖଣ୍ଡ ଗୁଡ଼ିକ ଜେସିବି ମେସିନ ଉପରେ ପଡ଼ି ଯିବାରୁ ଏହା ପୋତି ହୋଇଯାଇଥିଲା। ଫଳରେ ଜେସିବି ଦୁଇଟିର ଅପରେଟର ତଥା ଦେବଗଡ଼ ଜିଲ୍ଲାର ସଞ୍ଜୟ ଦାଶ ଓ ଘନଶ୍ୟାମ ଗୁରୁ ପଥର ତଳେ ଚାପି ହୋଇ ରହିଯାଇଥିଲେ। ଏହି ଖବର ପହଞ୍ଚିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରଥିଲେ।

ମାତ୍ର ଉପରୁ ଲଗାତର ପଥର ଖସିବାରୁ ପଥର ତଳେ ଚାପି ହୋଇ ରହିଥିବା ଶ୍ରୀ ଦାଶ ଓ ଶ୍ରୀ ଗୁରୁଙ୍କୁ ଉଦ୍ଧାର କରାଯାଇ ପାରି ନ ଥିଲା। ଦୁଇଜଣ ଅପରେଟରଙ୍କୁ ଉଦ୍ଧାର କରିବା ସମ୍ଭବ ନ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେନାର ସହଯୋଗ ଲୋଡ଼ା ଯାଇଥିଲା। ଏଥିପାଇଁ ଗତକାଲି ଅର୍ଥାତ ୫ ତାରିଖରେ ସେନା ଇଞ୍ଜିନିୟରିଂ ସର୍ଭିସର ଟିମ୍ ଆସି ଜୟପୁରରେ ପହଞ୍ଚିବା କଥା। ମାତ୍ର ପାଗ ଖରାପ ଯୋଗୁଁ ସେମାନେ ପହଞ୍ଚି ପାରି ନ ଥିଲେ । ଆଜି ଏହି ୪ ଜଣିଆ ଟିମ୍ ଜଣେ ଅଧିକାରୀଙ୍କ ନେତୃତ୍ୱରେ ଆସି ପହଞ୍ଚିବା ପରେ ଘଟରାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ପାଇର୍ ବୈଷୟିକ ପରାମର୍ଶ ଦେବା ସହିତ ଉଦ୍ଧାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି।