ଆଜି ପବିତ୍ର ଅଁଳା ନବମୀ : ରାଧା ପାଦ ଦର୍ଶନ ପାଇଁ ଚଳଚଞ୍ଚଳ ସାକ୍ଷୀଗୋପାଳ

ପାଦ ସ୍ପର୍ଶ ଉପରେ ଲାଗିଛି କଟକଣା

187

କନକ ବ୍ୟୁରୋ : ଆଜି ପବିତ୍ର ଅଁଳା ନବମୀ । ରାଧାପାଦ ଦର୍ଶନ ପାଇଁ ଚଳଚଞ୍ଚଳ ହୋଇପଡିଛି ସାକ୍ଷୀଗୋପାଳ । ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଜମିଛି । ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ପ୍ରଶାସନ ତରଫରୁ ଶୃଙ୍ଖଳିତ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ସୁରକ୍ଷା କଡାକଡି କରାଯାଇଛି । ବ୍ୟାରିକେଡରେ ଧାଡିରେ ଆସି ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ କରୁଛନ୍ତି । ସୁରକ୍ଷା ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ତେବେ ଚଳିତ ବର୍ଷ ଶ୍ରୀରାଧାଙ୍କ ପାଦସ୍ପର୍ଶ ଉପରେ କଟକଣା ଲଗାଯାଇଛି । ଭକ୍ତମାନେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ଓ ଶ୍ରୀରାଧା ପାଦଦର୍ଶନ ତ କରିପାରିବେ, ମାତ୍ର ଏହାକୁ ଛୁଇଁ ପାରିବେ ନାହିଁ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଁଳାନବମୀ ପାଇର୍ ରାତି ୧୨ଟାରେ ମନ୍ଦିର ଫିଟାଯାଇ ମଙ୍ଗଳଆଳତୀ, ମର୍ଦ୍ଦନ, ଅବକାଶ ନୀତି, ନଟବର ବେଶ, ସୂର‌୍ୟ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ବାଳ ଧୂପ, ମଦନମୋହନଦେବ ଭୋଗ ପରେ ଦେବନୀତି ଶେଷ କରାଯାଇଛି ।

ଦେବନୀତି ଶେଷ ପରେ ସାଢ଼େ ୫ଟାରୁ ୬ଟା ଯାଏ ସେବାୟତଙ୍କ ପରିବାର ଶ୍ରୀରାଧାଙ୍କ ପାଦଦର୍ଶନ ଓ ଓଡ଼ିଆଣୀ ବେଶ ଦର୍ଶନ କରିବା ପରେ ସକାଳ ସାଢ଼େ ୬ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଛି । ଏଥିପାଇଁ ପୁରୀ ଏସପି ସାର୍ଥକ ଷଡଙ୍ଗୀଙ୍କ ନେତୃତ୍ୱରେ ୩ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି ଓ ୧୭ ପ୍ଲାଟୁନ୍ ଫୋର୍ସ ମୂତୟନ ହୋଇ ଶାନ୍ତିଶୃଙ୍ଖଳା ରକ୍ଷା କରୁଛନ୍ତି । ଭକ୍ତ ଓ ଶ୍ରଦ୍ଧାଳୁମାନେ ଗର୍ଭଗୃହର ବେହରଣ ଦ୍ୱାର ନିକଟରୁ ଶ୍ରୀରାଧାଙ୍କ ପାଦଦର୍ଶନ କରୁଛନ୍ତି ।