ଟମାଟୋର ବଢୁଥିବା ଦରରୁ ଅଶ୍ୱସ୍ତି ଦେବ ଏହି ବ୍ୟାଙ୍କ୍ ! ଲକ୍ଷ୍ନୌ କଂଗ୍ରେସ୍ ଖୋଲିଲା ‘ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଟମାଟର୍’

37

ପରିବା ବଜାରରେ ଲାଗିଛି ଟମାଟୋ ନିଆଁ । ଦିନକୁ ଦିନ ବଢିଚାଲିଛି ଟମାଟୋ ଦର । ଏମିତି ଦିନ ଆସିଯାଇଛି ଯେ ସାଧାରଣ ଜନତାଙ୍କ ଥାଳିରୁ ଉଭେଇ ଯାଇଛି ଏହି ନିତିଦିନିଆ ଖାଦ୍ୟ । ଆଉ ଏହି ଆକାଶ ଛୁଆଁ ଦର ଯୋଗୁଁ ଟମାଟୋର ରଙ୍ଗ ଏବେ ବିଭିନ୍ନ ରାଜନୈତିକ ଦଳରେ ଦେଖିବାକୁ ମିଳୁଛି । ତେଣୁ ଏହି ସେଲିବ୍ରିଟି ପରିବା ଟମାଟୋର ବଢୁଥିବା ଦରକୁ ବିରୋଧ କରି ନିଆରା ଅନ୍ଦାଜାରେ ପ୍ରତିବାଦ ଜଣାଇଛି ଲକ୍ଷ୍ନୌ କଂଗ୍ରେସ୍ ।

ଲକ୍ଷ୍ନୌ କଂଗ୍ରେସର ଦଳୀୟ କର୍ମକର୍ତ୍ତା ମାନେ ଏକ ବ୍ୟାଙ୍କ୍ ଖୋଲିଛନ୍ତି । ଯାହାର ନାଁ ରହିଛି ‘ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଟମାଟର୍’ । ଏହି ବ୍ୟାଙ୍କ୍ ପାଇଁ ବିଧିବଦ୍ଧ ଭାବରେ ଏକ ନୋଟିଫିକେସନ୍ ମଧ୍ୟ ଜାରିକରିଛି ଦଳ । ଯେଉଁଥିରେ ଲୋକମାନଙ୍କୁ ଦିଆଯାଉଥିବା ଆକର୍ଷଣୀୟ ତଥା ଲୋଭନୀୟ ଯୋଜନା ବିଷୟରେ କୁହାଯାଇଛି । ଟମାଟୋ ଜମା କଲେ ୬ମାସରେ ୫ଗୁଣା ହେବ ବୋଲି ନୋଟିଫିକେସନରେ ଦାବି କରାଯାଇଛି । ଏହା ସହ ଟମାଟୋ ପାଇଁ ଲକର୍ ସୁବିଧା ଏବଂ ୮୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ମଧ୍ୟ ଉପଲବ୍ଧ ରହିଛି ।

ତେବେ ଟମାଟୋର ବଢୁଥିବା ଦାମକୁ ନେଇ କ୍ଷୋଭ କେବଳ ଲକ୍ଷ୍ନୌରେ ନୁହେଁ ସମଗ୍ର ଦେଶରେ ଦେଖିବାକୁ ମିଳିଛି । ଏବେ ଜନର ପକାନ୍ତୁ କେଉଁ ରାଜ୍ୟରେ କେତେ ଅଛି ଟମାଟୋ ଦର ।

ଦିଲ୍ଲୀ : କିଲୋ ପ୍ରତି ୧୦୦ ଟଙ୍କା
କୋଲକାତା : ୧୦୦ ଟଙ୍କା
ମୁମ୍ବାଇ : ୧୦୦ – ୧୨୦ ଟଙ୍କା
ଭୁବନେଶ୍ୱର : ୮୦ – ୧୦୦ଟଙ୍କା
ନାଗପୁର : ୧୦୦ -୧୨୦ ଟଙ୍କା
ଭୋପାଳ : ୧୦୦ – ୧୨୦ ଟଙ୍କା
ଲକ୍ଷ୍ନୌ : ୯୦ ଟଙ୍କା
ଜଲନ୍ଧର : ୧୦୦ ଟଙ୍କା
ଅହମ୍ମଦାବାଦ : ୧୨୦ ଟଙ୍କା