ମିଛ କହିଥିଲେ ବୈଜୟନ୍ତ ! ନିର୍ବାଚନ ସତ୍ୟପାଠରେ ଲୁଚାଇଛନ୍ତି ତଥ୍ୟ, ସାଂସଦଙ୍କୁ କୋର୍ଟକୁ ଟାଣିଲେ ନିର୍ବାଚନମଣ୍ଡଳୀର ଲୋକ

44

କନକ ବ୍ୟୁରୋ : ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କେନ୍ଦ୍ରାପଡ଼ା କୋର୍ଟରେ ମାମଲା ଦାୟର ହୋଇଛି । ପ୍ରାର୍ଥିପତ୍ର ଦାଖଲ ସମୟରେ ତଥ୍ୟ ଲୁଚାଇଥିବା ଅଭିଯୋଗରେ ଏହି ମାମଲା ହୋଇଛି । ଅଭିଯୋଗ ଅନୁସାରେ, ସାଂସଦ ହେବା ସହ ଇମ୍ଫାର ଉପସଭାପତି ପଦବୀରେ ରହି କୋଟି କୋଟି ଟଙ୍କା ଦରମା ନେଇଥିଲେ ବୈଜୟନ୍ତ । ତେବେ ନିର୍ବାଚନ ସତ୍ୟପାଠରେ ଏହି ସୂଚନା ଦେଇନଥିଲେ । ଏହି ତଥ୍ୟ ଲୁଚାଇ ସେ କେନ୍ଦ୍ରାପଡ଼ା ଲୋକସଭାମଣ୍ଡଳୀର ଲୋକଙ୍କୁ ଠକିଥିବା ଅଭିଯୋଗ କରିଛନ୍ତି ଗୋପାଳ ଚନ୍ଦ୍ର ଲେଙ୍କା ନାମକ ଜଣେ ବ୍ୟକ୍ତି ।

କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟରେ ଏ ନେଇ ଏକ ମାମଲା ଦାୟର କରିଛନ୍ତି । ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏପରି କାର୍ଯ୍ୟ ଲୋକ ପ୍ରତିନିଧି ଆଇନ୍ର ଧାରା ୧୨୫(କ)ର ଉଲଂଘନ କରୁଥିବା ସେ ଅଭିଯୋଗ କରିଛନ୍ତି । ଏସଡିଜେଏମ୍ କୋର୍ଟ ଏହି ମାମଲାକୁ ଗ୍ରହଣ କରି ଆସନ୍ତା ସୋମବାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ସାଂସଦ ବୈଜୟନ୍ତ ପଣ୍ଡାକୁ ନିଲମ୍ବନ କରିଥିଲା ବିଜେଡି । ତାଙ୍କୁ ଦଳରୁ ନିଲମ୍ବନ କରିବା ଦିନ ଏକ ପ୍ରେସ୍ ମିଟ୍ କରି ଏହି ପ୍ରସଙ୍ଗ ଉଠାଇଥିଲେ ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ।