ଜଣେ ଶିକ୍ଷକଙ୍କୁ ନେଇ ଚାଲିଛି ୮ଶହ ସ୍କୁଲ୍ ! ସାମ୍ନାକୁ ଆସିଲା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଦୁଃସ୍ଥ ଚିତ୍ର

36

କନକ ବ୍ୟୁରୋ : କିପରି ଚାଲିଛି ଆମ ସ୍କୁଲ? କେମିତି ଚାଲିଛି ପାଠପଢା? ଖୋଦ ସରକାର ଯାହା ସ୍ୱୀକାର କରିଛନ୍ତି, ତାହା ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ହୋଇଯିବେ । ବିଧାନସଭାର ଏକ ଲିଖିତ ପ୍ରଶ୍ନର ଉତର ଦେଇ ଗଣଶିକ୍ଷା ମନ୍ତ୍ରୀ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି, ତାହା ରାଜ୍ୟ ଗୁଣାତ୍ମକ ଶିକ୍ଷା ଉପରେ ବଡ ପ୍ରଶ୍ନ ସୃଷ୍ଟି କରିଛି । ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମାନିଛନ୍ତି ମାତ୍ର ଜଣେ ଶିକ୍ଷକ ପାଠ ପଢାଉଛନ୍ତି ୮୧୯ ପ୍ରାଥମିକ ସ୍କୁଲରେ । ଏପରିକି ରାଜ୍ୟରେ ଜଣେ ଶିକ୍ଷକରେ ଚାଲିଛି ଦୁଇଟି ଉଚ୍ଚ ବିଦ୍ୟାଳୟ । ମାତ୍ର ଦୁଇ ଜଣ ଶିକ୍ଷକ ଅଛନ୍ତି ୧୭ଟି ଉଚ୍ଚ ବିଦ୍ୟାଳୟରେ।

ସେହିପରି ଦୁଇ ଜଣ ଶିକ୍ଷକ ଶିକ୍ଷା ଦାନ କରୁଛନ୍ତି ୨୪ ହଜାର ୮୧୦ଟି ପ୍ରାଥମିକ ସ୍କୁଲରେ। ଗଣଶିକ୍ଷା ମନ୍ତ୍ରୀ ଜଣାଇଛନ୍ତି ଯେ ଶିକ୍ଷକଙ୍କ ଅଭାବକୁ ଦୂର କରିବା ପାଇଁ ପ୍ରାଥମିକ ଶିକ୍ଷକଙ୍କୁ ସାମୟିକ ଭାବେ ନିୟୋଜିତ କରିବା ବ୍ୟବସ୍ଥା କରାଯାଇଛି। ଅଦ୍ୟାବଧି ୩୩୯ଟି ସ୍କୁଲରେ ଟିଚର ଅନ୍ କଲ୍ ବ୍ୟବସ୍ଥାରେ ଶିକ୍ଷକଙ୍କୁ ନିୟୋଜନ କରାଯାଇଛି। ସେହିପରି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ପୂରଣ ପାଇଁ ଟିଚର ଅନ୍ କଲ୍ ମାଧ୍ୟମରେ ଶିକ୍ଷକଙ୍କୁ ନିୟୋଜନ କରିବା ପାଇଁ ନିର୍ଦେଶନାମା ପଠାଯାଇଛି ବୋଲି ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ।