ଗାଁର କ୍ଷେତରେ ହଠାତ ଦେଖିବାକୁ ମିଳିଲା ବୋଇଂ ୭୪୭ ବିମାନ, ଭିତରେ ପାଇଲଟ ନଥିଲେ କି ଯାତ୍ରୀ ମଧ୍ୟ ନଥିଲେ । ଆଶ୍ଚଯ୍ୟ ହେଲେ ଲୋକେ

25

ବିଲ ମଝିରେ ଉଡାଜାହାଜ । କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଥାଇଲାଣ୍ଡର ଚାଇ ନୈତ ଅଞ୍ଚଳର ଏକ ଗାଁରେ ଲୋକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯେତେବେଳେ ସକାଳୁ ସକାଳୁ ଗାଁର ଜଣେ ବ୍ୟକ୍ତିଙ୍କ ବିଲରେ ବୋଇଂ ୭୪୭ ବିମାନ ଛିଡା ହୋଇଥିବାର ଦେଖିଥିଲେ । କିଛି ଲୋକ ଏହି ବିମାନକୁ ଦେଖି ଫଟୋ ନେବା ଆରମ୍ଭ କଲେ । କିନ୍ତୁ ବିମାନଟି ବିଲ ମଝିକୁ କିପରି ଆସିଲା ତାହାର ଟେର କେହି ପାଇନଥିଲେ । କାରଣ ନା ବିମାନ ଭିତରେ କୌଣସି ପାଇଲଟ ଥିଲେ ନା ଯାତ୍ରୀ । ଇନ୍ଧନ ଶେଷ ହୋଇ ଯାଇଥିବାରୁ ବିମାନଟିକୁ ଖେତରେ ଓହ୍ଳାଇ ଦିଆଯାଇଛି ବୋଲି କିଛି ଲୋକ ଭାବିଥିଲେ । ବିମାନଟିର ଦ୍ୱାର ବନ୍ଦ ଥିବାରୁ ଏହା ମଧ୍ୟକୁ କେହି ପ୍ରବେଶ ମଧ୍ୟ କରି ପାରି ନଥିଲେ ।

ତେବେ ଜମି ମାଲିକ ଘଟଣାସ୍ଥଳକୁ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଜମି ମାଲିକ ସୋମଚେଇ ଫୁକିଇବ କହିବା ଅନୁଯାୟୀ, ଯାତାୟତ ସେବାରୁ ଏହି ବିମାନଟିକୁ ହଟାଇ ଦିଆଯିବା ପରେ ଏହାକୁ ସେ ନିଲାମୀ ବେଳେ କିଣିଥିଲେ । କିନ୍ତୁ ଗୋଟିଏ ରାତି ମଧ୍ୟରେ ଏହାକୁ ଆଣି କ୍ଷେତରେ ରଖି ଥିବାରୁ ସକାଳୁ ଲୋକମାନେ ବିମାନଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ଗ୍ରାମର ଅଧିକାଂଶ ଲୋକ ବିମାନରେ ଯାତ୍ରା କରି ନାହାନ୍ତି । ତେଣୁ ଏତେ ପାଖରୁ ବିମାନଟିକୁ ଦେଖି ସମସ୍ତେ ଆଶ୍ଚଯ୍ୟ ହୋଇଥିଲେ । ଏହାକୁ କିଣିଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ପ୍ଲେନ ମଧ୍ୟରୁ ପ୍ରଥମରୁ ଇଞ୍ଜିନ ଓ କମ୍ପ୍ୟୁଟର ପାର୍ଟସ ହଟାଇ ଦିଆଯାଇଛି । ତାଙ୍କ କହିବା ଅନୁଯାୟୀ, ଅନ୍ୟ ଅଞ୍ଚଳର ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସେ ଗାଁକୁ ଏହି ବିମାନ ଆଣିଛନ୍ତି । ଏହି ବିମାନଟିକୁ ଆଣିବା ପାଇଁ ବଡ ଟ୍ରକର ସହାୟତା ନେଇଥିଲେ ମାଲିକ ।