ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ । ସାରା ଦେଶରେ ୬ଟା ସୁଦ୍ଧା ୬୪ ଦଶମିକ ୫ ପ୍ରତିଶତ ଭୋଟ୍ ।

108

କନକ ବ୍ୟୁରୋ : ସାରା ଦେଶରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଶେଷ ଖବର ସୁଦ୍ଧା ସାରା ଦେଶରେ ୬୪ ଦଶମିକ ୫ ପ୍ରତିଶତ ମତଦାନ ହୋଇଛି । ଆସାମରେ ସର୍ବାଧିକ ୮୦ ଦଶମିକ୍ ୬୩ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଜମ୍ମୁ-କାଶ୍ମୀରରେ ୧୨ ଦଶମିକ ୮୬ ପ୍ରତିଶତ ମତଦାନ ହୋଇଛି । ୧୩ଟି ରାଜ୍ୟ ୨ଟି କେନ୍ଦ୍ରଶାସିତ ଅଂଚଳ ସମେତ ମୋଟ ୧୧୭ଟି ଲୋକସଭା ଆସନ ପାଇଁ ଆଜି ଭୋଟିଂ ହୋଇଛି । ୧୧୭ ଲୋକସଭା ଆସନରେ ଭୋଟିଂ ହୋଇଥିବା ବେଳେ ଆଜି ବହୁ ହେବିୱେଟ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।

ତୃତୀୟ ପର୍ଯ୍ୟାୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କଂଗେସ ସଭାପତି ରାହୁଲ ଗାନ୍ଧୀ, ସମାଜବାଦୀ ଅଧ୍ୟକ୍ଷ ମୁଲାୟମ ସିଂ ଯାଦବ, ଏବଂ ଆରଜେଡି ନେତା ଶରଦ ଯାଦବ ପ୍ରମୁଖ ନେତାଙ୍କ ସମେତ ୧୬୦୦ରୁ ଉଦ୍ଧ୍ୱର୍ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଦେଶର ୧୧୭ ସଂସଦୀୟ କ୍ଷେତ୍ର ମଧ୍ୟରୁ ଗୁଜୁରାଟର ୨୬ଟି ଏବଂ କେରଳର ୨୦ଟି ଲୋକସଭା ଆସନରୁ ଆଜି ସର୍ବାଧିକ ମତଦାନ ହୋଇଛି । ଏଥି ସହ ଛତିଶଗଡର ୭ଟି ଆସନ, ପଶ୍ଚିମବଙ୍ଗର ୫ଟି, ବିହାରର ୫ଟି, ଗୋଆର ୨ଟି କର୍ଣ୍ଣାଟକରେ ୧୪ଟି ସମେତ ଡାମନଡିଉ ଓ ଦାଦ୍ର ନଗରରେ ଗୋଟିଏ ଲେଖାଏଁ ଲୋକସଭା ଆସନ ପାଇଁ ମତଦାନ ହୋଇଛି ।