ଏମିତି ଏକ ହୃଦୟ ବିଦାରକ ଫଟୋ ! ଯାହା ଏକ ଗରିବ ପରିବାରକୁ ଦେଲା ୫୭ ଲକ୍ଷ ଟଙ୍କା ।

55

ଏକ ଦୁଃଖଭରା ଫୋଟ, ଯାହା ପାଇଁ ଏକ ଗରିବ ପରିବାରକୁ ମିଳିଛି ୫୭ ଲକ୍ଷ ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏହି ହୃଦୟ ବିଦାରକ ଫଟୋକୁ ଟ୍ୱିଟରରେ ୩୧ ହଜାରରୁ ଅଧିକ ଥର ସେୟାର କରାଯାଇଛି । ତେବେ ଘଟଣାଟି ହେଉଛି କିଛି ଏପରି । ଦିଲ୍ଲୀର ୩୭ ବର୍ଷୀୟ ଅନିଲ ନାମକ ଜଣେ ସଫେଇ କର୍ମୀଙ୍କର ଶୁକ୍ରବାର ଦିନ କାମ କରୁଥିବା ସମୟରେ ମୃତ୍ୟୁ ହୋଇଥିଲା । ଏହାପରେ ଜଣେ ଟ୍ୱିଟର ବ୍ୟବହାରକାରୀ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ଏକ ଶବ ପାଖରେ ୧୧ ବର୍ଷର କୁନି ପୁଅ କାନ୍ଦୁଥିବାର ଦେଖାଯାଇଥିଲା ।

ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଲୋକମାନେ ଏହି ଗରିବ ପରିବାରକୁ ସହାୟତାର ହାତ ବଢାଇଥିଲେ । ଏହା ପରେ କ୍ରାଉଡ୍ ଫଣ୍ଡିଂ ୱେବସାଇଟ କେଟୋ ଡଟ୍ ଓଆରଜିରେ ଏକ ଏନଜିଓରେ ସାହାଯ୍ୟରେ ଫଣ୍ଡ ଜମା କରିବା ପାଇଁ କ୍ୟାମ୍ପେନ୍ କରାଯାଇଥିଲା । ପାଖାପାଖି ୨ ଦିନ ମଧ୍ୟରେ ଲୋକମାନେ ୫୭ ଲକ୍ଷ ଟଙ୍କା ଅନିଲଙ୍କ ପରିବାରକୁ ଦେଇଛନ୍ତି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ସୁରକ୍ଷା ଉପକରଣ ବିନା ସଫେଇ କାମ କରିବା କାରଣରୁ ଅନିଲଙ୍କର ମୃତ୍ୟୁ ହୋଇଥିଲା । ତେବେ ଅନିଲ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ତିନି ଜଣ ପିଲା ଅଛନ୍ତି । ତେବେ ପରିବାରର ଆର୍ଥିକ ଅବସ୍ଥା ଏତେ ଶୋଚନୀୟ ଥିଲା ଯେ, ଅନିଲଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ମଧ୍ୟ ତାଙ୍କ ପରିବାର ପାଖରେ ଟଙ୍କା ନଥିଲା । ତେବେ ହୃଦୟ ବିଦାରକ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଗରିବ ପରିବାରକୁ ୫୭ ଲକ୍ଷ ଟଙ୍କାର ସାହାଯ୍ୟ ମିଳିଛି ।