ସ୍ୱଳ୍ପ ସଂଚୟ ଯୋଜନାରେ ଟଙ୍କା ନିବେଶ କରୁଥିବା ଲୋକଙ୍କ ପାଇଁ ଖୁସି ଖବର : ସୁଧହାର ବଢ଼ାଇଲେ କେନ୍ଦ୍ର ସରକାର

155

ସ୍ୱଳ୍ପ ସଂଚୟ ଯୋଜନାରେ ଟଙ୍କା ନିବେଶ କରୁଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ସରକାର ଏହି ଯୋଜନା ଉପରେ ମିଳୁଥିବା ସୁଧ ହାର ବୃଦ୍ଧି କରିଛନ୍ତି । ବ୍ୟାଙ୍କ୍‌ ସମୂହର ଜମା ମୂଲ୍ୟ ସହ ତାଳ ଦେଇ ଅକ୍ଟୋବର-ଡିସେମ୍ବର କ୍ୱାର୍ଟର୍‌ ନିମନ୍ତେ ଏନ୍‌ଏସ୍‌ସି ଏବଂ ପିପିଏଫ୍‌ ସମେତ ସ୍ୱଳ୍ପ ସଂଚୟ ଯୋଜନାରେ ସରକାର ୦. ୪% ଯାଏଁ ସୁଧ ବୃଦ୍ଧି କରିଛନ୍ତି । ସ୍ୱଳ୍ପ ସଂଚୟ ଯୋଜନାରେ ସୁଧ ଦର କ୍ୱାର୍ଟର୍‌ଲି ବା ପ୍ରତି ତିନି ମାସରେ ଥରେ ଜଣାଇ ଦିଆଯାଏ । ଅକ୍ଟୋବର ୧ ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ୨୦୧୮ରେ ଶେଷ ହେଉଥିବା ୨୦୧୮-୧୯ ଆର୍ଥିକ ବର୍ଷର ତୃତୀୟ କ୍ୱାର୍ଟର୍‌ ନିମନ୍ତେ କେତେଗୁଡ଼ିଏ ସ୍ୱଳ୍ପ ସଂଚୟ ଯୋଜନାର ସୁଦ୍ଧ ମୂଲ୍ୟ ସଂଶୋଧିତ ହୋଇଛି ବୋଲି ଅର୍ଥ ମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରିଛି ।

୫ ବର୍ଷିଆ ଜମା ଅବଧି, ରେକରିଙ୍ଗ୍‌ ଡିପୋଜିଟ୍‌, ସିନିୟର୍‌ ସିଟିଜେନ୍‌ ସେଭିଙ୍ଗ୍‌ସ୍‌ ସ୍କିମ୍‌ର ସୁଧ ଯଥାକ୍ରମେ ୭. ୮, ୭. ୩ ଏବଂ ୮. ୭କୁ ବୃଦ୍ଧି କରାଯାଇଛି । ବରିଷ୍ଠ ନାଗରିକଙ୍କ ଯୋଜନାରେ ସୁଧ ପ୍ରତି ୩ ମାସରେ ଥରେ ମିଳିଥାଏ ।କିନ୍ତୁ, ସେଭିଙ୍ଗ୍‌ ଆକାଉଣ୍ଟ୍‌ ଜମା ଉପରେ ସୁଧ ପୂର୍ବବତ ବାର୍ଷିକ ୪%ରେ ହିଁ ରହିଛି ।

ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଟ୍‌ (ପିପିଏଫ୍‌) ଏବଂ ନେସ୍‌ନାଲ୍‌ ସେଭିଙ୍ଗ୍‌ ସାର୍ଟିଫିକେଟ୍‌ (ଏନ୍‌ଏସ୍‌ସି) ପାଇଁ ଏବେ ବାର୍ଷିକ ୮% ସୁଧ ଦିଆଯିବ । କିଷାନ ବିକାଶ ପତ୍ର ପାଇଁ ବର୍ଷକୁ ୭. ୭% ସୁଧ ମିଳିବ ଏବଂ ୧୧୮ ମାସ ପରିବର୍ତ୍ତେ ୧୧୨ ମାସରେ ପରିପକ୍ୱ ହେବ। ବାଳିକାଙ୍କ ସଂଚୟ ଯୋଜନା ସୁକନ୍ୟା ସମୃଦ୍ଧି ଆକାଉଣ୍ଟ୍‌ରେ ୮. ୫% ସୁଧ ଏବଂ ଏବର ମୂଲ୍ୟ ଠାରୁ ୦. ୪% ଅଧିକ ସୁଧ ମିଳିବ ।