ବିଜେପୁରରେ ଅନ୍ଧାରି ବିଜେ ! ଏତେ ଟଙ୍କା ଆସୁଛି କୁଆଡୁ । କିଏ ନେଉଛି, କାହାକୁ ଦେଉଛି?

56

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପୂର୍ବରୁ ପ୍ରବେଶପଥରେ ଧରାପଡିଲା ଲକ୍ଷ ଲକ୍ଷ ଟଙ୍କା । ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପଦ୍ମପୁର ପୋଲିସ । ଆଉ ଚର୍ଚ୍ଚା ହେଉଛି ଭୋଟରଙ୍କୁ କିଣିବା ପାଇଁ ବ୍ୟବହାର ହୋଇଥାନ୍ତା ଏହି ଟଙ୍କା । ଯଦିଓ କେଉଁ ରାଜନୈତିକ ଦଳର ଇସାରାରେ ୪୦ ଲକ୍ଷ ଟଙ୍କା ଧରି ଯାଉଥିଲେ ସୁନା ବ୍ୟବସାୟୀ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ପରସ୍ପର ଉପରେ ଦୋଷ ଲଦାଲଦି ଆରମ୍ଭ କରିଦେଇଛନ୍ତି ବିଜେଡି ଓ ବିଜେପି । ଆଉ ଏହାରି ଭିତରେ ଗୋଟିଏ ନୈତିକ ପ୍ରଶ୍ନ ସାମ୍ନାକୁ ଆସୁଛି । ବିକାଶ କଥା କହି ଲୋକଙ୍କୁ ଭୋଟ ଦେବା ପାଇଁ ପ୍ରବର୍ତାଉଥିବା ନେତା କଣ ଟଙ୍କା ବଳରେ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି ?

ପୋଲିସ ଥାନା ଭିତରେ ଟେବୁଲ ଉପରେ ଥୁଆ ହୋଇଛି ନୂଆ ୨ହଜାର ଓ ୫ ଟଙ୍କିଆ ନୋଟର ବିଡା । ବୋଧହୁଏ ବିମୁଦ୍ରାୟନ ସମୟରେ ଏମିତି ଟଙ୍କା ବିଡା ଆପଣ ଟିଭି ପରଦାରେ ହିଁ ଦେଖିଥିବେ । ଆଉ ଏବେ ଯେତେବେଳେ ବିଜେପୁରରେ ଉପନିର୍ବାଚନ ହେବାକୁ ଯାଉଛି ଠିକ ତା ପୂର୍ବରୁ ବରଗଡରେ ରାତିଅଧରେ ଗାଡିରେ ଟଙ୍କା ଯାଉଥିବାବେଳେ ଧରାପଡିଛି ୪୦ ଲକ୍ଷ ଟଙ୍କାର ନଗଦ ବିଡାବିଡା ନୂଆ ଟଙ୍କା ।

ଏତେ ଟଙ୍କା ନେଇ ରାତି ଅଧରେ ଯାଉଥିଲେ ପଦ୍ମପୁରର ସୁନା ବ୍ୟବସାୟୀ ଆକାଶ ଅଗ୍ରୱାଲ । ସାଙ୍ଗରେ ଥିବା ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖି ରାତିତମାମ ପଚରାଉଚରା କରିଥିଲା ପୋଲିସ । ଆଉ ହିସାବ ଦେଇନପାରିବାରୁ ଶେଷରେ ଆକାଶଙ୍କ ସହ ତାଙ୍କ ବାପା ତଥା ଗାଡିର ମାଲିକ ଓମ ପ୍ରକାଶ ଅଗ୍ରୱାଲଙ୍କୁ ବି ଗିରଫ କରିନେଇଛି ପଦ୍ମପୁର ପୋଲିସ । ତେବେ ଏହି ଟଙ୍କା ବିଜେଡିର ବୋଲି କହି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେପି ।

ଅନ୍ୟପଟେ ବିଜେଡି ମଧ୍ୟ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରି ଦେଇଛି ସ୍ମାରକପତ୍ର । ଦଳର କହିବା ହେଲା ଗିରଫ ଅକାଶ ବଜରଙ୍ଗ ଦଳର ସକ୍ରିୟ କର୍ମୀ ଓ ତାଙ୍କ ବାପା ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ । ତେଣୁ ବିଜେପି ପାଇଁ ଏହି ଟଙ୍କା ଯାଉଥିଲା ବୋଲି ବିଜେଡି କହିଛି ।

କଂଗ୍ରେସ କିନ୍ତୁ ଉଭୟ ବିଜେପି ଓ ବିଜେଡି ଟଙ୍କା ଦେଇ ବିଜେପୁରବାସୀଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ଆଣିଛି । ଟଙ୍କା ଦେଇ ଉଭୟ ବିଜେଡି ଓ ବିଜେପି ଗାଁ ଭିତରକୁ ପଶି ପାରୁଛନ୍ତି ନଚେତ୍ ଉଭୟ ଦଳ ପାଇଁ ଗାଁ ଭିତରକୁ ପଶିବା ମଧ୍ୟ କଷ୍ଟକର ହୋଇଥାନ୍ତା । ଏହି ପୁରା ଘଟଣାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ତାର ସ୍ପଷ୍ଟୀକରଣ ଦେଇ କହିଛି ଯେ, ଭିଏଚପି ଏକ ସାଂସ୍କୃତିକ ସଂଗଠନ ଏହାକୁ ରାଜନୀତି ଭିତରକୁ ଟାଣିବା ଲାଗି ଅପଚେଷ୍ଟା କରାଯାଉଛି ।
ଏସବୁ ଭିତରେ ଅସମାହିତ ରହିଛି ସେହି ମୂଳ ପ୍ରଶ୍ନ…
– ବ୍ୟବସାୟୀ ଜଣକ କାହା ଇସାରାରେ ଏତେ ଟଙ୍କା ନେଉଥିଲେ?
– କେଉଁ ରାଜନୈତିକ ଦଳ ସହ ଏହି ଟଙ୍କାର ସଂପୃକ୍ତି ରହିଛି?
– ବିଜେପୁରରେ ଭୋଟରଙ୍କୁ ବାଂଟିବାକୁ ଟଙ୍କା ଯାଉଥିଲା କି?