ଶ୍ରୀନଗର ପୁଲୱାମାରେ ୫ ଆତଙ୍କବାଦୀ ନିହତ : କୋକାପୋରା ଅଂଚଳରେ ୬ଘଂଟାର ଏନକାଉଂଟର

23

କନକ ବ୍ୟୁରୋ : ଜମ୍ମୁ କଶ୍ମୀରରେ ଆତଙ୍କବାଦ ବିରୋଧରେ ସୁରକ୍ଷାକର୍ମୀଙ୍କ ଅପରେସନ ଲଗାତାର ଭାବେ ଜାରି ରହିଛି । ଶ୍ରୀନଗରରେ ଗତ ୨୪ ଘଂଟା ମଧ୍ୟରେ ବିଭିନ୍ନ ଏନକାଉଂଟରରେ ମୋଟ୍ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଲସ୍କରର ୩ ଓ ହିଜବୁଲ ମୁଜାହିଦ୍ଦିନର ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଶ୍ରୀନଗର ପୁଲୱାମାରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । କାକାପୋରା ଅଂଚଳରେ ୬ଘଂଟାର ଏନକାଉଂଟର ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଲସ୍କର ଆତଙ୍କବାଦୀ ନିହତ ହୋଇଛନ୍ତି ।

ଆତଙ୍କବାଦୀଙ୍କ ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ୩ଆତଙ୍କୀ ଲସ୍କର-ଏ-ତୋଏବା ଆତଙ୍କୀ ସଂଗଠନର ବୋଲି ସୂଚନା ମିଳିଛି । ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଁ ଗତକାଲି ବିଳମ୍ବିତ ରାତ୍ରିିରେ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା ବାହିନୀ । ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମେ ଯବାନଙ୍କ ଉପରକୁ ଗୁଳିଚାଳନା ଓ ପଥରମାଡ଼ କରାଯାଇଥିଲା । ଯାହାର କଡା ଜବାବ ଦେଇଛି ସେନା ।

ଘଟଣାସ୍ଥଳରୁ ୩ଟି ଏକେ ୪୭ ରାଇଫଲ ଜବତ କରାଯାଇଛି । ସେହିପରି ବିଜବେହଡାରେ ମଧ୍ୟ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ବାଗପୋରା ଓ ମେଗରୋପୋରୋ ଅଂଚଳକୁ ଘେରି ରହିଛି ସେନା । ଜମ୍ମୁ କଶ୍ମୀର ପୁଲିସ ଓ ରାଷ୍ଟ୍ରୀୟ ରାଇଫଲ୍ସର ସୁରକ୍ଷା କର୍ମୀ ସ୍ଥାନୀୟ ଅଂଚଳକୁ ଘେରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।