ଭୋକର ନୂଆ ଠିକଣା ରାଜଧାନୀ ଦିଲ୍ଲୀ : ଅନାହାର ଓ କୁପୋଷଣରେ ଗଲା ତିନି ଭଉଣୀଙ୍କ ଜୀବନ

40

କନକ ବ୍ୟୁରୋ : ଭୋକର ଭୁଗୋଳର ନୂଆ ଠିକଣା ହୋଇଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ଖାଦ୍ୟ ଅଭାବ ଓ କୁପୋଷଣ ଯୋଗୁଁ ତିନି ଭଉଣୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ପୂର୍ବ ଦିଲ୍ଲୀର ମଣ୍ଡାବଳୀ ଅଂଚଳରେ ଘଟିଛି ଏହି ଦୁଃଖଦ ଘଟଣା । ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ତିନି ଭଉଣୀଙ୍କ ଅବସ୍ଥା ଖରାପ ହୋଇଥିବାର ଜଣେ ପଡୋଶୀ ଦେଖିଥିଲେ । ପାଣି ମାଗିବାରୁ ସେମାନଙ୍କୁ ପଡୋଶୀ ଜଣକ ପିଇବାକୁ ପାଣି ଦେଇଥିଲେ । କିନ୍ତୁ ହଠାତ୍ ୩ଜଣ ଯାକ ବାନ୍ତି କରିବାକୁ ଲାଗିଥିଲେ । ଏଥିରେ ଭୟଭୀତ ହୋଇ ପଡୋଶୀ ଜଣକ ୩ଭଉଣୀଙ୍କୁ ନିକଟସ୍ଥ ଲାଲବାହାଦୂର ହସ୍ପିଟାଲରେ ଭର୍ତି କରିଥିଲେ । କିନ୍ତୁ ମେଡିକାଲରେ ପହଁଚିବାବେଳକୁ ସେମାନଙ୍କର ମୃତ୍ୟୁ ହୋଇ ସାରିଥିଲା । ହସ୍ପିଟାଲରେ ଡାକ୍ତର ତିନି ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବରଣ କରିଥିିବା ୩ଜଣ ଯାକ ହେଉଛନ୍ତି ୮ବର୍ଷିୟ ଶିଖା, ୪ବର୍ଷିୟ ମାନସୀ ଓ ୨ବର୍ଷିୟ ପାରୁଲ । ତେବେ ଏହି କୁନି ପିଲାମାନଙ୍କର କିଭଳି ମୃତ୍ୟୁ ହେଲା ସେ ନେଇ ଖୋଳତାଡ କରିବାକୁ ପହଁଚିଥିଲା ପୋଲିସ୍ । ଆଉ ପୋର୍ଷ୍ଟମର୍ଟମ ରିପୋର୍ଟକୁ କରିଥିଲା ଅପେକ୍ଷା ।

ସନ୍ଦେହ ହୋଇଥିଲା କେହି ପିଲାମାନଙ୍କୁ ବିଷ ଦେଇ ମାରି ଦେଇ ନାହାଁନ୍ତି ତ ? କିନ୍ତୁ ଯେଉଁ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ତାହା ସମସ୍ତଙ୍କୁ ହତବାକ୍ କରିଦେଇଥିଲା । ପୋଷ୍ଟମର୍ଟ ରିପୋର୍ଟରେ କୁହାଯାଇଥିଲା ପିଲାମାନଙ୍କ ଦେହରେ କୌଣସି ଆଘାତର ଚିହ୍ନ ନାହିଁ କିମ୍ବା ବିଷ କ୍ରିୟା ଜନିତ ମୃତ୍ୟୁ ନୁହେଁ । ପିଲାମାନେ ଖାଲି ପେଟରେ ଥିଲେ । ତେଣୁ ଡାକ୍ତରଙ୍କ କହିବା ଅନୁଯାୟୀ ଅନାହାର ଓ କୁପୋଷଣ ଯୋଗୁଁ ପିଲାମାନଙ୍କର ମୃତ୍ୟୁ ହୋଇଥାଇପାରେ । ପ୍ରକୃତ କାରଣ ଜାଣିବା ପାଇଁ ମୃତକଙ୍କ ବାପାଙ୍କୁ ଖୋଜୁଛି ପୋଲିସ୍ । ଘଟଣା ସାମନାକୁ ଆସିବା ପରେ ମାଜିଷ୍ଟ୍ରେଟ୍ ସ୍ତରୀୟ ଯାଂଚ ନିର୍ଦ୍ଦେଶ ଦେଇଛନ୍ତି ଦିିଲ୍ଲୀ ସରକାର । ସେପଟେ ରାଜ୍ୟସଭାରେ ଅନାହାର ମୃତ୍ୟୁ ଖବର ଉପରେ ସରକାରଙ୍କ ଉତର ଦାବି କରିଛନ୍ତି ବସପା ସାଂସଦ ସତୀଶ୍ ମିଶ୍ରା । ସେପଟେ ଘଟଣାସ୍ଥଳକୁ ଯାଇ ପଚାରି ବୁଝିଛନ୍ତି କଂଗ୍ରେସ ନେତା ଅଜୟ ମାକେନ୍ ।