ମହିଳା ଆଇଆଇସିଙ୍କୁ ଆକ୍ରମଣ କଲେ ପୁରୁଷ ପୋଲିସ ! ତିନି ଜଣଙ୍କୁ ନିଲମ୍ବିତ କଲେ ପୁରୀ ଏସପି

51

କନକ ବ୍ୟୁରୋ : ଅସ୍ତରଙ୍ଗ ଥାନା ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ପୁରୀ ଏସପି । ମହିଳା ଇନସ୍ପେକ୍ଟରଙ୍କୁ ନିଶାସକ୍ତ ଅବସ୍ଥାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁରୀ ବିଦ୍ୟୁତ ଥାନାର ହାବିଲଦାର ଚିତରଂଜନ ବାରିକଙ୍କୁ ଗିରଫ କରାଯାଇଥିବା ବେଳେ ତାଳବଣିଆ ଥାନାର କନେଷ୍ଟବଳ ଚିତ୍ରସେନ ପ୍ରଧାନ ଫେରାର ଥିବା ଜଣାପଡିଛି । ଏମାନଙ୍କୁ ସହଯୋଗ କରିବା ସହ କର୍ତବ୍ୟରେ ଅବହେଳା ଅଭିଯୋଗରେ କୃଷ୍ଣଚନ୍ଦ୍ର ସେଠୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

ଚିତରଂଜନ ଓ ଚିତ୍ରସେନ ଅସ୍ତରଙ୍ଗ ଥାନା ନିକଟରେ ଥିବା କଲ୍ୟାଣମଣ୍ଡପରେ ମଦ ପିଉଥିବା ବେଳେ ସ୍ଥାନୀୟ ଆଇଆଇସି ପ୍ରଣୀତା ପଟ୍ଟନାୟକ ଏହାକୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ମହିଳା ଆଇଆଇସିଙ୍କୁ ମାରପିଟ କରିଥିଲେ । ଏନେଇ ଅଭିଯୋଗକୁ ପୁରୀ ଏସପି ଗୁରୁତ୍ୱ ଦେଇ ତଦନ୍ତ ପାଇଁ ଏଚଆରିପିସି ଡିଏସପିଙ୍କୁ ଦାୟିତ୍ୱ ଦେଇଥିଲେ । ଗିରଫ ଚିତରଂଜନ ବାରିକକୁ କୋର୍ଟ ଚାଲାଣ କରାଯାଇଛି ।