ମହିଳାଙ୍କୁ ଅପହରଣ ଉଦ୍ୟମ ସମୟରେ ଧରାପଡିଲେ ଦୁର୍ବୃତ୍ତ ! ୩ ଜଣ ଯୁବକଙ୍କୁ ଖୁଂଟରେ ବାନ୍ଧି ନିସ୍ତୁକ ଛେଚିଲେ ଗ୍ରାମବାସୀ

30

କନକ ବ୍ୟୁରୋ : ମହିଳାଙ୍କୁ ଅପହରଣ ଉଦ୍ୟମ ସମୟରେ ଧରା ପଡିଲେ ଦୁର୍ବୃତ୍ତ । ଏହି ଘଟଣା ଘଟିଛି ବାରିପଦା ଟାଉନ ଥାନାରେ । ଗାଁଲୋକେ ଅପହରଣ ଉଦ୍ୟମ କରୁଥିବା ୩ ଜଣ ଦୁର୍ବୃତ୍ତଙ୍କୁ ଧରି ଏକ ବିଜୁଳି ଖୁଂଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ଏହାସହ ଉତ୍ୟକ୍ତ ଲୋକେ ୩ ଦୁର୍ବୃତଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ପୋଲିସ ତିନି ଅଭିଯୁକ୍ତଙ୍କୁ ଉତ୍ୟକ୍ତ ସ୍ଥାନୀୟ ବାସିନ୍ଦାଙ୍କୁ ଠାରୁ ଉଦ୍ଧାର କରି ଥାନାକୁ ନେଇଛି । ସେମାନେ ସମସ୍ତେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳର ଭେଲୁର ଗାଁର ବୋଲି ଜଣାପଡିଛି ।

ଅପହରଣ ସମୟରେ ଲୋକଙ୍କ ହାତରେ ୩ ଦୁର୍ବୃତ୍ତ ଧରାପଡିବା ପରେ କାରକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଛି । ତାକୁ ଧରିବା ପାଇଁ ପୋଲିସ ତନାଘନା ଚଲାଇଛି । ଅନ୍ୟପଟେ ଏହା ଏକ ଯୁବତୀ ଚାଲାଣ ରାକେଟର କାମ ବୋଲି ଅଂଚଳରେ ଚର୍ଚ୍ଚା ହେଉଛି । ଆଜି ଯେଉଁ ମହିଳାଙ୍କୁ ଅପହରଣ ଉଦ୍ୟମ କରାଯାଉଥିଲା, ତାଙ୍କୁ ଜୁନ ୨୫ରେ ରଥଯାତ୍ରା ଦେଖିଯାଇଥିବା ବେଳେ ଅପହରଣ କରାଯାଇଥିଲା ।

ଏନେଇ ପରିବାର ଲୋକେ ବାରିପଦା ଥାନାରେ ଏତଲା ଦେବା ପରେ ପୋଲିସ ଖୋଳତାଡ ଆରମ୍ଭ କରି, ମହିଳାଙ୍କୁ ମୁମ୍ବାଇରେ ବିକ୍ରି କରାଯାଇଥିବା ଜାଣିବାକୁ ପାଇଥିଲା । ଏହାପରେ ମହିଳାଙ୍କୁ ମୁମ୍ବାଇର କଲ୍ୟାଣ ଷ୍ଟେସନ ନିକଟ ମିଡ ନାଇଟ ହୋଟେଲରୁ ପୋଲିସ ଉଦ୍ଧାର କରି ଶୁକ୍ରବାର ବାରିପଦାକୁ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ହେଲେ ଆଜି ପୁଣି ସେହି ଦୁର୍ବୃତ୍ତମାନେ ଏକ କାରରେ ଆସି ମହିଳାଙ୍କୁ ଅପହରଣ କରୁଥିବା ବେଳେ ଗାଁ ଲୋକଙ୍କ ହାତରେ ଧରାପଡିଛନ୍ତି ।