କୁଜଙ୍ଗରେ ଚାଂଚଲ୍ୟ, ଟଙ୍କା ପାଇଁ ଜଘନ୍ୟ କାଣ୍ଡ ! ସାଙ୍ଗକୁ ବେକ ଯାଏ ବାଲିରେ ପୋତିଦେଲେ ୩ ନାବାଳକ 

158

କନକ ବ୍ୟୁରୋ : ଟଙ୍କା ପାଇଁ ସାଙ୍ଗକୁ ବେକ ଯାଏ ବାଲିରେ ପୋତିଦେଲେ ୩ ସାଙ୍ଗ । ଜଗତସିଂପୁର ଜିଲ୍ଲା କୁଜଙ୍ଗ ଅଂଚଳ ଜିଲ୍ଲାନାସୀ ଅଂଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଅଭିଯୋଗ ଅନୁଯାୟୀ ଜଣେ ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ଧମକ ଦେଇ ୩ଜଣ ନାବାଳକ ନିୟମିତ ଟଙ୍କା ଆଦାୟ କରୁଥିଲେ । କିନ୍ତୁ ଗୁରୁବାର ଦିନ ଛାତ୍ର ଜଣଙ୍କ ଟଙ୍କା ନଦେବାରୁ ତାଙ୍କୁ ବାଲିରେ ବେକ ଯାଏ ପୋତି ଦେବା ସହ ମାରିଦେବାକୁ ଧମକ ଦେଇଥିଲେ । ଛାତ୍ର ଜଣଙ୍କ ଗୁହାରି କରିବା ସହ ପୁଣି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ସେମାନେ ତାଙ୍କୁ ଛାଡିଦେଇଥିଲେ । ଏନେଇ କୁଜଙ୍ଗ ଥାନରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ମୁତାବକ,ପୀଡ଼ିତ ଛାତ୍ର ତେନ୍ତୁଲିଆ ଖମାର ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢ଼ନ୍ତି । ସେ ନିୟମିତ ସଂଧ୍ୟାରେ ଟିଉସନ୍ ହେବାକୁ ଯିବା ବେଳେ ୩ଜଣ ନାବାଳକ ତାଙ୍କୁ ଧମକ ଦେଇ ତାଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଡରରେ ସୁମିତ୍ର ଏ ସମ୍ପର୍କରେ ଘରେ କାହାକୁ କହୁ ନଥିଲେ। ଓଲଟା ଘରୁ ଶହେ, ଦୁଇ ଶହ ଟଙ୍କା ଲୁଚାଇ ଆଣି ସେମାନଙ୍କୁ ନିୟମିତ ଦେଉଥିଲେ। ଗତ ୯ ତାରିଖରେ ଭାରତ ବନ୍ଦ ଥିବାରୁ ବିଦ୍ୟାଳୟ ବନ୍ଦ ଥିଲା। ସେଦିନ ମଧ୍ୟାହ୍ନରେ ପୀଡ଼ିତଟିଉସନକୁ ଯାଇଥିଲେ। ଟିଉସନ୍ ସାରି ଘରକୁ ଆସୁଥିବା ବେଳେ ୩ ସାଙ୍ଗ ତାଙ୍କୁ ନାଳବଣ ମଶାଣିକୁ ନେଇ ଯାଇଥିଲେ। ‘ସବୁଦିନ ପଇସା ଦେଉ, ଆଜି କାହିଁକି ପଇସା ଆଣିନୁ’ ବୋଲି ସେମାନେ ପଚାରି ଧମକ ଦେଇଥିଲେ । ପଇସା ନଦେଲେ ବାଲିରେ ପୋତି ଜୀବନରେ ମାରିଦେବାକୁ ଧମକ ଦେଇ ସେମାନେ ପୀଡ଼ିତ ଛାତ୍ରଙ୍କୁ ବେକଯାଏ ବାଲିରେ ପୋତି ଦେଇଥିଲେ ।

କିଛି ସମୟ ପର‌୍ୟ୍ୟନ୍ତ ବାଲିରେ ପୋତିହୋଇ ରହିବା ପରେ କାକୁତିମିନତି ହୋଇ ଛାଡ଼ିଦେବାକୁ ଅନୁରୋଧ କରିଥିଲେ । ତେବେ ପୀଡ଼ିତ ଛାତ୍ର ଘରକୁ ଫେରି ଏ ସମ୍ପର୍କରେ କିଛି କହି ନଥିଲେ ଓ ପ୍ରତିଶ୍ରୁତି ମୁତାବକ ଟଙ୍କା ଦେବା ପାଇଁ ମା’ଙ୍କ ବ୍ୟାଗ୍ରୁ ୫ଶହ ଟଙ୍କା ଲୁଚାଇ ନିଜ ସ୍କୁଲ ବ୍ୟାଗରେ ରଖିଥିଲେ। ମା’ ଟଙ୍କା ନପାଇ ପଚରାଉଚରା କରିବାରୁ ସୁମିତ୍ର ତାଙ୍କୁ ସବୁକଥା କହି ଦେଇଥିଲେ। ଏହାକୁ ନେଇ ପୀଡ଼ିତ ଙ୍କ ବାପା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।