ଖାଲି ଥିବା ଇଂଜିନିଅରିଂ ସିଟ୍ ପୂରଣ ପାଇଁ ଆସନ୍ତା ୧୦ରେ ହେବ ଦ୍ୱିତୀୟ ଜେଇଇ ! ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ହାଇକୋର୍ଟଙ୍କ ପରାମର୍ଶ

25

କନକ ବ୍ୟୁରୋ : ଇଂଜିନିୟରିଂ କଲେଜରେ ଖାଲିଥିବା ସିଟ ଗୁଡ଼ିକର ପୁରଣ ପାଇଁ ସ୍ପେଶାଲ ଓଜେଇଇ ନେଇ ହାଇକୋର୍ଟରୁ ମିଳିଲା ଅନୁମତି । ବି.ଟେକ୍‌ ପାଠ୍ୟକ୍ରମରେ ଖାଲିଥିବା ସିଟ୍‌ ପୂରଣ ଲାଗି ସ୍ୱତନ୍ତ୍ର ଓଜେଇଇ କରିବାକୁ ଓଡ଼ିଶା ପ୍ରାଇଭେଟ୍‌ ଇଂଜିନିୟରିଂ କଲେଜ ଆସୋସିଏସନ୍‌ (ଓପେକା) ଦାବି କରିଥିଲା । ଏହାସହ ସ୍ୱତନ୍ତ୍ର ଓଜେଇଇ ନିହାତି ଆବଶ୍ୟକ ବୋଲି ଓପେକା ହାଇକୋର୍ଟରେ ଆବେଦନ କରିଥିଲା ।

ସଂଘ ପକ୍ଷରୁ କୁହାଯାଇଥିଲା, ଗତ କିଛି ବର୍ଷ ତୁଳନାରେ ଚଳିତ ବର୍ଷ ବିଟେକ୍‌ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ନୈରାଶ୍ୟଜନକ ହୋଇଛି । ୩ ବର୍ଷ ହେଲା ଘେରୋଇ କଲେଜରେ ୬୦ ପ୍ରତିଶତ ସିଟ୍‌ ଖାଲି ରହୁଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ପ୍ରାୟ ୯୦ ପ୍ରତିଶତ ରହିଛି, ଯାହାକି ଚିନ୍ତାର ବିଷୟ । ଏହା ହେବା ଦ୍ୱାରା ଘରୋଇ ଇଂଜିନିୟରିଂ କଲେଜଗୁଡ଼ିକ ପ୍ରତି ସଂକଟ ଦେଖାଦେଇଛି । କେତେକ କଲେଜରେ ଜଣେ ହେଲେ ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି ।

ଏଥିପାଇଁ ଆସନ୍ତା ୧୦ ତାରିଖରେ ଦ୍ୱିତୀୟ ଓଜେଇଇ ଅନୁଷ୍ଠିତ ହେବ । ଏହା ସହ ଅଗଷ୍ଟ ୧୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ ଏବଂ ୧୪ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡିଛି । ଦ୍ୱିତୀୟ ଜେଇଇ ପରୀକ୍ଷା ପାଇଁ ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ୬ ଓ ୭ ଛାତ୍ରଛାତ୍ରୀମାନେ ଦୁଇଦିନ ଅନଲାଇନରେ ଆବେଦନ କରିପାରିବେ । ୮ ତାରିଖରେ ଆଡମିଟକାର୍ଡ ଡାଉନଲୋଡ୍ ଓ ପରୀକ୍ଷାକେନ୍ଦ୍ର ଧାର୍ଯ୍ୟ କରାଯିବ ।