ଆରବରେ ବନ୍ଧା ଓଡିଆ ! ଭିଡିଓ ଜରିଆରେ ଫେରାଇ ନେବାକୁ କଲେ ଗୁହାରୀ

255

କନକ ବ୍ୟୁରୋ : ବିଦେଶରେ ବନ୍ଧା ପଡିଛି ଓଡିଆ । ସାଉଦି ଆରବରେ ଫସିରହିଛନ୍ତି ୨୪ ଜଣ ଯୁବକ । ଅଧିକ ରୋଜଗାର ଆଶାରେ ସମସ୍ତେ ଯାଇଥିଲେ ବିଦେଶ । ସ୍ୱପ୍ନ ଦେଖିଥିଲେ ଏକ ଉନ୍ନତ ଭବିଷ୍ୟତର । ହେଲେ ଏବେ ଘରକୁ ଫେରିବାକୁ ନେହୁରା ହେଉଛନ୍ତି । ୪ ମାସ ହେଲା ମଜୁରି ମିଳିନି । ଦରମା ମାଗିଲେ ହତ୍ୟା ଧମକ ଦେଉଛି କମ୍ପାନୀ । ମାସେ ହେଲା ଭୋକ ଉପାସରେ ରହିବା ପରେ ଘରକୁ ଫେରାଇନେବାକୁ ପ୍ରଶାସନକୁ ନେହୁରା ହେଉଛନ୍ତି । ସାଉଦି ଆରବରୁ ଭିଡିଓ ମାଧ୍ୟମରେ ଜଣାଇଛନ୍ତି ସେମାନଙ୍କ ଗୁହାରି ।

ବେଗୁନିଆ ବ୍ଲକ୍ ମଠ ସରସିଙ୍ଗି ଗାଁର ଅନୀଲ ପାଳ । ରୋଜଗାର ଆଶାରେ ୫ ମାସ ତଳେ ବାହାରିଥିଲେ ସାଉଦି ଆରବ । ତାଙ୍କ ସହ ସାଙ୍ଗ ହୋଇଥିଲେ ଆଉ ୨୩ ଜଣ ଯୁବକ । ବିଜ୍ଞାପନ ମାଧ୍ୟମରେ ଆବେଦନ କରିଥିଲେ । ପରେ ଦଲାଲକୁ ଜଣକ ପିଛା ୭୦ ହଜାର ଟଙ୍କା ଦେଇଥିଲେ । ପ୍ରଥମେ ସମସ୍ତ ଯୁବକଙ୍କୁ ଇଛାପୁରମ ନିଆଯାଇଥିଲା । ପରେ ଦଲାଲ ନେଇଥିଲା ଚେନାଇ । ସେଠାରୁ ଭଲ କମ୍ପାନୀରେ ଅଧିକ ଦରମାର ଆଶା ଦେଖାଇ ନିଆଯାଇଥିଲା ସାଉଦି ଆରବ । ହେଲେ ପ୍ରଥମ ମାସରୁ ହିଁ ଆରମ୍ଭ ହୋଇଯାଇଥିଲା ନିର୍ଯାତନା ।
ଦରିଆ ସେପାରିରେ ବନ୍ଧା ପଡିଛି ଦାଦନ । ଅଧିକ ଟଙ୍କା ରୋଜଗାର ଆଶାରେ କିଏ ଧାର କରିଥିଲା ତ ଆଉ କିଏ ବନ୍ଧା ପକାଇ ଟଙ୍କା ଆଣିଥିଲା । ହେଲେ ଅଧିକ ଟଙ୍କା ତ ଦୂରର କଥା ଏବେ ନିଜ ଭବିଷ୍ୟତ ନେଇ ସମସ୍ତେ ସନ୍ଦିହାନ ।