ସେଓ ବକ୍ସରେ ଆସୁଥିଲା ୨୦୦ କୋଟିର ଧଳା ଜହର ।

ଦେଢ ମାସରେ ଜବତ ହେଲାଣି ୬୪୦ କୋଟି ଟଙ୍କାର ଧଳା ଜହର 

153

ବିଦେଶରୁ ଦେଶକୁ ଆସୁଛି ଧଳା ଜହର । ତାହା ବି ପୁଣି ସେଓ ଭର୍ତ୍ତି ଟ୍ରକ ମାଧ୍ୟମରେ । ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଜମ୍ମୁ-କାଶ୍ମୀର କୁପୱାଡାରେ ଏଭଳି ଏକ ଧଳା ଜହର ବୋଝେଇ ଟ୍ରକକୁ ଜବତ କରିଛି ଏନସିବି । ଆଫଗାନିସ୍ତାନ-ପାକିସ୍ତାନ ରାସ୍ତା ଦେଇ ଭାରତକୁ ଆସୁଥିବା ୩ଟି ଟ୍ରକରୁ ୫୦ କିଲୋ ହିରୋଇନ ଜବତ କରାଯାଇଛି । ଏହାକୁ ଦିଲ୍ଲୀ ପଠା ଯାଉଥିଲା ବୋଲି ଜଣାପଡିଛି ।

ଜମ୍ମୁ-କାଶ୍ମୀରର ନ୍ୟାସନାଲ ହାଇୱେର ଟୋଲ ପ୍ଲାଜା ନିକଟରେ ସେଓ ବୋଝେଇ ଟ୍ରକ ଯାଞ୍ଚ କରିବା ସମୟରେ ହିରୋଇନ ଜବତ କରିଥିଲା ଏନସିବି । ଯେଉଁ ସେଓ ବକ୍ସରେ ହିରୋଇନ ଅଣାଯାଇଥିଲା ସେଗୁଡିକ ଅନ୍ୟ ବକ୍ସ ଠାରୁ ଭିନ୍ନ ଥିଲା । ଯେଉଁଥିପାଇଁ ଏନସିବିର ସନ୍ଦେହ ହୋଇଥିଲା ଓ ଏହି ବକ୍ସକୁ ଖୋଲିବା ପରେ ଏଥିରୁ ୫୦ କିଲୋ ହିରୋଇନ ଜବତ କରିଥିଲା ।


ଏନସିବି ଅନୁଯାୟୀ, ଏହା ପାକିସ୍ତାନ ସଡକ ପଥ ଦେଇ ଭାରତରେ ପହଞ୍ଚିଥିଲା । ଯାହାକୁ କୁପୱାଡା ଦେଇ ଦିଲ୍ଲୀକୁ ନେବାର ଯୋଜନା କରାଯାଉଥିଲା । କିନ୍ତୁ ମଝି ରାସ୍ତାରେ ଏନସିବି ପଞ୍ଝାରେ ପଡିଥିଲା ଏହି ଟ୍ରକ । ଯେଉଁଥିରୁ ୨୦୦ କୋଟି ଟଙ୍କାର ଧଳା ଜହର ଜବତ କରିଥିଲା ଏନସିବି । ଏହାଛଡା ଯଦି ଡ୍ରାଇଭର ଏହାକୁ ଦିଲ୍ଲୀରେ ପହଞ୍ଚାଇ ଦେଇଥାନ୍ତେ ତେବେ ଏଥିପାଇଁ ତାଙ୍କୁ ସାଢେ ୪ ଲକ୍ଷ ଟଙ୍କା ଦିଆଯାଇଥାନ୍ତା । ତେବେ ଦିଲ୍ଲୀର ନିର୍ଦ୍ଦିଷ୍ଟ କେଉଁ ସ୍ଥାନକୁ ଏହା ପଠାଯାଉଥିଲା ତାହା ଡ୍ରାଇଭର ଦିଲ୍ଲୀରେ ପହଞ୍ଚିବା ପରେ ହ୍ୱାଟସଆପ ମାଧ୍ୟମରେ ସୂଚନା ଦିଆଯାଇଥାନ୍ତା ।

ଏନସିବି ଡେପୁଟି ଡାଇରେକ୍ଟର ଜେନେରାଲ ଏସକେ ଝାଙ୍କ ମୁତାବିକ, ଗତ ଦେଢ ମାସ ମଧ୍ୟରେ ଆଫଗାନିସ୍ଥାନରୁ ଆସୁଥିବା ପ୍ରାୟ ୧୬୦ କିଲୋ ହିରୋଇନ ଜବତ କରାଯାଇଛି । ଅର୍ନ୍ତଜାତୀୟ ବଜାରରେ ଯାହାର ଆନୁମାନିକ ମୂଲ୍ୟ ୬୪୦ କୋଟି ହେବ ବୋଲି ଅନୁମାନ କରାଯାଉଛି । ତେବେ ଦିଲ୍ଲୀର କେଉଁ ସ୍ଥାନକୁ ଏହା ପଠା ଯାଉଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।