ଘାଟିରୁ ଖସିଲା ମିନି ବସ୍ । ଗଭୀର ଖାଇରେ ପଡ଼ି ୨୦ ଜଣଙ୍କ ମୃତ୍ୟୁ ।

39

ଜାମ୍ମୁ-କାଶ୍ମୀରରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ରମ୍ବନ ଜିଲ୍ଲା ଅନ୍ତର୍ଗତ ବନିହାଲ ନିକଟରେ ଅପରାହ୍ନ ସମୟରେ ଏକ ମିନି ବସ୍ ଖାଇକୁ ଖସି ପଡିଛି । ଏହି ଦୁର୍ଘଟଣାରେ ବସରେ ଥିବା ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବସଟି ଯାତ୍ରୀଙ୍କୁ ନେଇ ରମ୍ବନରୁ ବନିହାଲ ଯାଉଥିଲା। ହେଲେ ରାସ୍ତାରେ ବସଟି ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ପଡିଥିଲା । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ସ୍ଥାନୀୟଲୋକ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାସ୍ଥଳରୁ ୧୫ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଦୁର୍ଘଟଣାସ୍ଥଳରେ ଉଦ୍ଧାର  କାର୍ଯ୍ୟ ଜାରି ରହିଛି ।

ରମ୍ବନର ଡେପୁଟି କମିସନର୍ ଶୌକତ୍ ଅଜିଜ୍ ଭଟ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି । ସାଂଘାତିକ ଆହତ ବ୍ୟକ୍ତିମାନଙ୍କୁ ଜମ୍ମୁସ୍ଥିତ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ନେବା ନିମନ୍ତେ ସେନା ହେଲିକପ୍ଟର ବ୍ୟବସ୍ଥା କରାଯାଇଛି। ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ଅଛି ବୋଲି ପୁଲିସ କହିଛି । ମୃତ ବ୍ୟକ୍ତିଙ୍କ ପରିବାରଙ୍କ ପାଇଁ ସରକାର ୫ ଲକ୍ଷ ଟଙ୍କା ଏବଂ ଆହତ ଯାତ୍ରୀଙ୍କ ଲାଗି ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ସରକାର ।