ବଢି ନଈରେ ଟଳମଳ ଡଙ୍ଗା ! ଅସୁରକ୍ଷିତ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା, ଅସ୍ତରଙ୍ଗର ଫେରିଘାଟରେ ଲାଇଫ ଜ୍ୟାକେଟ ବିନା ନଦୀ ପାର କରୁଛନ୍ତି ଲୋକେ ।

41

କନକ ବ୍ୟୁରୋ : ବଢି ନଈରେ ବିପଦପୂର୍ଣ୍ଣ ଜଳଯାତ୍ରା । ଅକାତକାତ ପାଣିରେ ଅସୁରକ୍ଷିତ ଭାବେ ଡଙ୍ଗାରେ ଯାଉଛନ୍ତି ଯାତ୍ରୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳ ଦେଇ ପ୍ରବାହିତ ହେଉଥିବା ଦେବୀ ନଦୀରେ । ଅତି ବିପଦପୂର୍ଣ୍ଣ ଭାବେ ମୋଟର ଡଙ୍ଗା ସାହାଯ୍ୟରେ ବଢିଲା ଦେବୀ ନଈ ପାର ହେଉଛନ୍ତି ଶହଶହ ଯାତ୍ରୀ । ନଈ ଏକୁଳ ସେକୁଳ ଖାଉଥିବା ବେଳେ ବିନା ଲାଇଫ ଜ୍ୟାକେଟରେ ମୋଟର ଡଙ୍ଗାରେ ନଦୀପାର ହେଉଛନ୍ତି ଏହି ଯାତ୍ରୀମାନେ ।

ଏମିତି ଅବସ୍ଥାରେ ପ୍ରତିଦିନ ଶହଶହ ଯାତ୍ରୀ ପୁରୀ ଜିଲ୍ଲା ଅସ୍ତରଙ୍ଗର ତାଳଦା ଏବଂ କାକଟପୁରର ଭଣ୍ଡିସାହି ଫେରିଘାଟରେ ଦେବୀ ନଦୀ ପାର ହୋଇଥାନ୍ତି । ଏଭଳି ବିପଦପୂର୍ଣ୍ଣ ନୌକାଯାତ୍ରା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । କାରଣ ଭଣ୍ଡିସାହିରେ ପୋଲ ନିର୍ମାଣ ପାଇଁ ଅନେକ ଦିନରୁ ଦାବି ହେଉଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି । ସେହିଭଳି ତାଳଦାରେ ପୋଲ ନିର୍ମାଣ ଅଧାରେ ପଡିଥିବାରୁ ଏମିତି ନଦୀ ପାର ହେବା ବ୍ୟତିତ ଅନ୍ୟ ବାଟ ନଥିବା କହିଛନ୍ତି ଯାତ୍ରୀ ।