ବିଶ୍ୱର ଏମିତି ଏକ ଗାଁ । ଯେଉଁଠି ମାଟିତଳେ ରହିଛି ୧୫୦୦ ଘର, ଫିଲ୍ମ ସୁଟିଂ କରିବାକୁ ଆସନ୍ତି ହଲିଉଡ ନିର୍ମାତା

40

ବିଶ୍ୱର ଏମିତି ଏକ ଗାଁ ଯେଉଁଠି ଲୋକମାନେ ଭୂମି ଉପରେ ନୁହେଁ ବରଂ ଭୂମି ତଳେ ଘର ନିର୍ମାଣ କରି ରହୁଛନ୍ତି । ସବୁଠୁ ମଜାଦାର କଥା ହେଉଛି ଏହି ଗ୍ରାମରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୫୦୦ ଘର ଭୂମି ତଳେ ନିର୍ମାଣ କରାଯାଇଛି । ଗ୍ରାମର ଅଧିକାଂଶ ଲୋକ ଅଣ୍ଡରଗ୍ରାଉଣ୍ଡ ଘରେ ରହୁଛନ୍ତି । ତେବେ ଏହି ଅଣ୍ଡରଗ୍ରାଉଣ୍ଡ ଘର ପଛରେ କଣ ରହିଛି କାହାଣୀ ଆସନ୍ତୁ ଜାଣିବା ।

୧୫୦୦ଟି ଅଣ୍ଡରଗ୍ରାଉଣ୍ଡ ଘର ଥିବା ଏହି ଗାଁଟି ଅଷ୍ଟ୍ରେଲିଆରେ ରହିଛି । ଯାହାର ନାଁ କୁବର ପେଡି । ଏହି ଗାଁରେ ଥିବା ଓପଲ ପଥରର ଖଣି ଖାଦାନ ରହିଛି । ଆଉ ଖାଲି ଥିବା କିଛି ଖଣି ଖାଦାନରେ ଲୋକମାନେ ରହୁଛନ୍ତି । ଉପର ପଟରୁ ପୂରା ସାଧାରଣ ଦେଖାଯାଉଥିବା ଏହି ଘର ଗୁଡିକ ଭିତରୁ କିନ୍ତୁ ପୂରା ଆଲିସାନ ବଙ୍ଗଳା ଭଳି । ଗ୍ରାମର ୬୦ ପ୍ରତିଶତ ଲୋକ ଅଣ୍ଡରଗ୍ରାଉଣ୍ଡ ଘରେ ରହୁଛନ୍ତି । ପାଖାପାଖି ୧୫୦୦ ଅଣ୍ଡରଗ୍ରାଉଣ୍ଡ ଘରେ ୩୫୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ଓପଲ ମାଇନିଂ ପାଇଁ ଏହା ଦୁନିଆର ସବୁଠୁ ବଡ କ୍ଷେତ୍ର । ଏହାକୁ ସେଥିପାଇଁ ଓପଲର ରାଜଧାନୀ ବୋଲି କୁହାଯାଇଥାଏ ।

କୁବର ପେଡି ଏପରି ଗାଁ ଯେଉଁଠି ଗ୍ରୀଷ୍ମ ଦିନେ ପ୍ରବଳ ମାତ୍ରାରେ ଖରା ହୋଇଥାଏ ଓ ଶୀତ ଦିନରେ ତାପମାତ୍ରା ବହୁତ କମ ରହିଥାଏ । ତେଣୁ ଏଠାରେ ବସବାସ କରୁଥିବା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଏସବୁ ସମସ୍ୟାରୁ ଦୁରେଇ ରହିବା ପାଇଁ ଖାଦନ ମଧ୍ୟରେ ଘର ନିର୍ମାଣ କରି ରହୁଛନ୍ତି ଗ୍ରାମବାସୀ । ଫଳରେ ନା ଖରାଦିନେ ଏସିର ଆବଶ୍ୟକତା ପଡୁଛି ନା ଶୀତଦିନେ ହିଟର ଦରକାର ପଡୁଛି ।

ଗ୍ରାମୀଣ ଅଞ୍ଚଳରେ ନିର୍ମାଣ କରାଯାଇଥିବା ଏହି ଅଣ୍ଡରଗ୍ରାଉଣ୍ଡ ଘର ଗୁଡିକର ସାଜସଜ୍ଜା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଅଣ୍ଡରଗ୍ରାଉଣ୍ଡ ଘର ମଧ୍ୟରେ ସୁଇମିଂ ପୁଲ ଠାରୁ ଆରମ୍ଭ କରି ଚର୍ଚ୍ଚ, ଷ୍ଟୋର, ବାର, ମ୍ୟୁଜିୟମ ଭଳି ଅନେକ ସୁବିଧା ରହିଛି । ଖାସ୍ ଏଥିପାଇଁ ପୁରା ଦୁନିଆରେ ଏହି ଗାଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏପରିକି ଏହି କାରଣରୁ ହଲିଉଡର ଅନେକ ଫିଲ୍ମ ଏହିଠାରେ ସୁଟିଂ ମଧ୍ୟ କରାଯାଇଛି ।