ନିଖୋଜ ବାୟୁସେନା ଏଏନ-୩୨ରେ କେହି ଜୀବିତ ନାହାଁନ୍ତି : ବିମାନରେ ଥିବା ସମସ୍ତ ୧୩ ଜଣଙ୍କୁ ମୃତ ଘୋଷଣା କଲା ବାୟୁସେନା

786

କନକ ବ୍ୟୁରୋ : ବାୟୁସେନାର ଏଏନ-୩୨ ବିମାନର ଭଗ୍ନାବଶେଷ ଠାବ ହେବା ପରେ ଏବେ ବିମାନରେ ଥିବା ସମସ୍ତ କ୍ରିୟୁ ମେମ୍ବରଙ୍କୁ ମୃତ ଘୋଷଣା କରାଯାଇଛି । ନିଖୋଜ ବାୟୁସେନା ଏଏନ-୩୨ରେ କେହି ଜୀବିତ ନାହାଁନ୍ତି । ବିମାନରେ ଥିବା ସମସ୍ତ ୧୩ ଜଣ ମୃତ ଘୋଷିତ । ଦୁର୍ଘଟଣାସ୍ଥଳରେ ପହଂଚିଲା ଆଇଏଏଫର ସ୍ୱତନ୍ତ୍ର ଟିମ୍ । ବିମାନରେ ଥିବା ସମସ୍ତି ୧୩ ଯାତ୍ରୀଙ୍କ ପରିବାରକୁ ସୂଚନା ଦେଇଛି ବାୟୁସେନା । ଏହି ବିମାନରେ ପାଇଲଟ୍ ଆଶିଷ ତୱର, ୱାରଣ୍ଟ ଅଫିସର କପିଲ କୁମାର ମିଶ୍ରା, ଫ୍ଲାଇଙ୍ଗ ଲେଫ୍ଟନାଣ୍ଟ ମୋହିତ ଗର୍ଗ ସମେତ ୧୩ ଜଣ ଥିଲେ ।

ବିମାନରେ ଓଡିଆ ପାଇଲଟ ସୁନୀତ ମହାନ୍ତିଙ୍କ ସମେତ ୧୩ ଜଣ କ୍ରିୟୁ ମେମ୍ବର ରହିଥିଲେ । ଗତ ୩ ତାରିଖରେ ହଠାତ ଉଡାଣ ଭରିବା ପରେ ଅରୁଣାଂଚଳ ପ୍ରଦେଶ ଆକାଶରେ ନିଖୋଜ ହୋଇଯାଇଥିଲା ବାୟୁ ସେନାର ବିମାନ । ତେବେ ବିମାନ ନିଖୋଜ ହେବାର ଦୀର୍ଘ ୧୦ ଦିନ ପରେ ଏଏନ୩୨ ବିମାନର ଭଗ୍ନାବଶେଷ ମଙ୍ଗଳବାର ଠାବ କରାଯାଇଥିଲା । ଅରୁଣାଚଳ ପ୍ରଦେଶର ଲିପୋ ନାମକ ଏକ ସ୍ଥାନରୁ ପ୍ରାୟ ୧୬ କିଲୋମିଟର ଦୂର ଘଂଚ ଜଙ୍ଗଲ ଭିତରେ ବାୟୁ ସେନାର ଏଏନ୍-୩୨ ପରିବହନ ବିମାନର ଭଗ୍ନାବଶେଷ ମିଳିଥିଲା ।