କମାଲ କଲେ ୧୨ ବର୍ଷିୟ ପୁନେ ବାଳକ ହାଜିକ୍ କାଜି ! ଡିଜାଇନ୍ କଲେ ସମୁଦ୍ରରୁ ପ୍ଲାଷ୍ଟିକ ଆବର୍ଜନା ସଫା କରୁଥିବା ସ୍ୱତନ୍ତ୍ର ଜାହାଜ

520

ପ୍ରଦୂଷଣ ସାରା ବିଶ୍ୱର ଏକ ବଡ଼ ସମସ୍ୟା । ବିଶ୍ୱର ୯୫ ପ୍ରତିଶତ ଲୋକ ଦୂଷିତ ବାୟୁ ଗ୍ରହଣ କରିବାକୁ ବାଧ୍ୟ ହେଉଥିବା ବେଳେ ପ୍ରଦୂଷଣଜନିତ ମୃତ୍ୟୁ ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇଛି । ତେବେ ପ୍ରଦୂଷଣ ପାଇଁ ଆମେ କାହାକୁ ଦାୟୀ କରିପାରିବ ନାହିଁ । କାରଣ ଏଥିପାଇଁ ମାନବ ସମାଜ ହିଁ ସମ୍ପୂର୍ଣ୍ଣ ରୂପେ ଦାୟୀ । ମଣିଷ ସମାଜର ସୁଖସୁବିଧା ପାଇଁ ଗଛ କାଟି ପଦାକରି ଦିଆଯାଉଛି । ଗାଡ଼ି ମଟର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଆଉ  ଦିନକୁ ଦିନ ପଦୂଷଣ ବି ବୃଦ୍ଧି ପାଉଛି ।

ଦୁନିଆରେ ଦୁଇ ପ୍ରକାର ମଣିଷ ଥାଆନ୍ତି । କିଛି ସମସ୍ୟା ସୃଷ୍ଟି କରନ୍ତି ଆଉ କିଛି ସମସ୍ୟାର ସମାଧାନ ବାହାର କରନ୍ତି । ତେବେ ସମସ୍ୟାର ସମାଧାନ କରିବା ପାଇଁ ତଥା ପ୍ରଦୂଷଣରୁ ରକ୍ଷା କରିବା ପାଇଁ ପୁଣେର ୧୨ ବର୍ଷୀୟ ବାଳକ  ହାଜିକ୍ କାଜି ଏକ ସ୍ୱତନ୍ତ୍ର ପ୍ରକାର ଜାହାଜ ଡିଜାଇନ୍ କରିଛନ୍ତି । ଜାହାଜର ସ୍ୱତନ୍ତ୍ରତା ଏହା ସମୁଦ୍ର ପ୍ରଦୂଷଣକୁ କମ୍ କରିବା ସହ ସାମୁଦ୍ରିକ ଜୀବକୁ ନୂଆ ଜୀବନ ପ୍ରଦାନ କରିବ ।

ହାଜିକ୍  ଜାହାଜର ନାମର ଦେଇଛନ୍ତି ERVIS । ସେ କହିଛନ୍ତି ପ୍ରଦୂଷଣ ଉପରେ କେତେକ ପ୍ରାମାଣିକ ଚଳଚ୍ଚିତ୍ର ଦେଖି ସାମୁଦ୍ରିକ ଜୀବଙ୍କ ଉପରେ ଆବର୍ଜନାର ପ୍ରଭାବ କଥା ଅନୁଭବ କରିଥିଲେ ।  ଆଉ ସାମୁଦ୍ରିକ ଜୀବଙ୍କ ପାଇଁ କିଛି କରିବେ ବୋଲି ମନସ୍ଥ କଲେ ।  ERVIS ର ବୈଶିଷ୍ଟ୍ୟ ହେଲା ଏହାକୁ ଏପରି ପ୍ରସ୍ତୁତ କରାଯାଇଛି ଯାହା ସମୁଦ୍ରରୁ ଆବର୍ଜନା ଶୋଷି ନେବ । ERVIS ରେ ଗୋଟାଏ ଏପରି ମେସିନ୍ ଲାଗିଛି ଯାହା ସମୁଦ୍ରରୁ ପ୍ଲାଷ୍ଟିକ୍ ଶୋଷି ଆଣି ଆକାର ଅନୁସାରେ ତାହାକୁ ପୃଥକ୍ କରିଥାଏ । ଜାହାଜ ତଳେ ରହିଛି ଏକ ସେନସର୍ ଯାହା ସମୁଦ୍ରରେ ଭାସିବା ସମୟରେ ସାମୁଦ୍ରିକ ଜୀବ, ପାଣି ଓ ପ୍ଲାଷ୍ଟିକ୍ ଚିହ୍ନଟ କରିଥାଏ । ସୂଚନା ଅନୁସାରେ ERVIS କୁ ଆନ୍ତର୍ଜାତିକ ସ୍ତରରେ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।