ଧାଡି ଦର୍ଶନକୁ ନେଇ ବନ୍ଦ ବେଳେ ପୁରୀରେ ହିଂସାକାଣ୍ଡ ଘଟଣା : ଆଉ ୧୧ ଜଣଙ୍କୁ ଗିରଫ କଲା ପୁଲିସ, ପୂର୍ବରୁ ଗିରଫ ହୋଇଥିଲେ ୧୨ ଜଣ

48

କନକ ବ୍ୟୁରୋ : ଧାଡି ଦର୍ଶନକୁ ନେଇ ବନ୍ଦ ବେଳେ ପୁରୀରେ ହିଂସାକାଣ୍ଡ ଘଟଣାରେ ପୁଲିସ ଆଉ ୧୧ ଜଣଙ୍କୁ ଗିରଫ କରିଛି । ପୂର୍ବରୁ ୧୨ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ସଂଖ୍ୟା ୨୩ରେ ପହଚିଂଛି । ଗତ ୩ ତାରିଖରେ ପୁରୀରେ ଧାଡି ଦର୍ଶନକୁ ନେଇ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ବେଳେ ପୁରୀରେ ହିଂସାକାଣ୍ଡ ଘଟିଥିଲା । ଆନ୍ଦୋଳନକାରୀମାନେ ଧାଡି ଦର୍ଶନ ପାଇଁ କରାଯାଇଥିବା ବ୍ୟାରିକେଡ ଭାଙ୍ଗିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ । ବଡଦାଣ୍ଡ ମଧ୍ୟରେ ଲଙ୍କାକାଣ୍ଡ କରିବା ସହ ଟ୍ରାଫିକ୍ସ ପୋଷ୍ଟ ମଧ୍ୟ ଜାଳିଦେଇଥିଲେ ଆନ୍ଦୋଳନକାରୀ ।

ସୂଚନାଯୋଗ୍ୟ ଆମିକସ କ୍ୟୁରୀଙ୍କ ସୁପାରିଶରେ ପୁରୀରେ ଧାଡି ଦର୍ଶନ ବ୍ୟବସ୍ଥା କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯେଉଁଥିପାଇଁ ସିଂହଦ୍ୱାର କଡରେ ଥିବା ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ଓ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ବର୍ଷ ବର୍ଷ ଧରି ବ୍ୟବସାୟ ଚଲାଇଥିବା ଦୋକାନୀ , ଜୀବିକା ହରାଇବା ପରେ ଉତକ୍ଷିପ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା ଗତକାଲି ସୂୁଚନା ମିଳିଥିଲା । ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ବଡଦାଣ୍ଡରୁ ପାଖାପାଖି ୨ଶହ ବଡ ଦୋକାନୀ ଓ ଉଠାଦୋକାନୀକୁ ଉଚ୍ଛେଦ କରାଯାଇଥିଲା । ଆଉ ସେମାନେ ହିଁ ଅସାମାଜିକ ଲୋକଙ୍କୁ ଲଗାଇ ପର‌୍ୟ୍ୟଟନ କ୍ଷେତ୍ରରେ ଅଶାନ୍ତିର ନିଆଁ ଲଗାଇଥିବା ଜଣାପଡିଛି । ସ୍ୱାର୍ଥ ପାଇଁ ପ୍ରଶାସନର ବ୍ୟବସ୍ଥାକୁ ବିରୋଧ କରିବା ସହ ପ୍ରତିବାଦ ନାଁରେ ହିଂସା ଭିଆଇଥିଲେ ।