ଛତିଶଗଡରେ ଓଡିଶା ଟଙ୍କା ! ୧୦ କୋଟି ୯୦ ଲକ୍ଷ ଟଙ୍କା ରହସ୍ୟ ନେଇ ବଢିଲା ସସପେନ୍ସ , ପୋଲିସ ଛାନଭିନ୍ ଜାରି ।

206

କନକ ବ୍ୟୁରୋ : ଛତିଶଗଡରେ ଜବତ ହେଲା ଓଡିଶା ଟଙ୍କା । ଗୋଟିଏ କାର ଭିତରୁ ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ ହୋଇଛି । ଏହା ସହ ଛତିଶଗଡ ମହାସମୁନ୍ଦରେ ୪ ଜଣ ଅଟକ ଅଛନ୍ତି । ସେମାନଙ୍କ ମଧ୍ୟ ୩ ଜଣ ଯୁବକ ଥିବା ବେଳେ ଜଣେ ମହିଳା ଅଛନ୍ତି । ଏହି ଟଙ୍କା ଏକ ଟୟୋଟା ଇଟିଅସ୍ କାର ଯୋଗେ କଟକରୁ ଛତିଶଗଡ ମହାସମୁନ୍ଦ ଦେଇ ଉତ୍ତରପ୍ରଦେଶ ଆଗ୍ରାକୁ ନିଆ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏତେ ଟଙ୍କା ଏମାନଙ୍କୁ କିଏ ଓ କାହିଁକି ଦେଇଥିଲା ସେନେଇ ଏବେ ବଡ ପ୍ରଶ୍ନ ଉଠୁଥିବା ବେଳେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଆଜି ଛତିଶଗଡରେ ଖଲ୍ଲାରୀ ଥାନା ପୋଲିସ ପକ୍ଷରୁ ମାଲକାନଗିରି ସୀମାନ୍ତ ଛତିଶଗଡର ମହାସମୁନ୍ଦ ଠାରେ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଯାନବାହନ ଗୁଡିକୁ ଯାଞ୍ଚ କରାଯାଉଥିଲା । ଏହି ସମୟରେ ସେଠାରେ ୟୁପି-୮୦ଇକ୍ୟୁ-୯୬୮୧ ନମ୍ବର ବିଶିଷ୍ଟ ଏକ ଟୟୋଟା ଇଟିଅସ୍ ଗାଡି ପହଞ୍ଚିଥିଲା । ଯେଉଁଥିରେ ୩ଜଣ ପୁରୁଷ (ବନବାରୀ ଜାଟ୍, ପ୍ରହଲ୍ଲାଦ ବଘେଲ, ମହମ୍ମଦ ଇବ୍ରାହିମ୍) ଏବଂ ଜଣେ ମହିଳା (ନଜମା ବେଗମ୍) ରହିଥିଲେ । ଆଉ ଏହି ଗାଡିରୁ ପାଖାପାଖି ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ ହୋଇଛି । କାରର ସିଟ୍ ମଧ୍ୟରେ ଏହି ଟଙ୍କା ଲୁଚା ହୋଇ ରଖାଯାଇଥିଲା । ଏମାନେ ସମସ୍ତେ ଆଗ୍ରା ୟୁପି ନିବାସୀ ବୋଲି ଜଣାପଡିଛି ।

ଏମାନେ ଗତ ରବିବାର ଦିନ ଆଗ୍ରାରୁ କଟକ ଆସିଥିଲେ । ଅବଧେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି, ଯିଏକି ଜଣେ ସୁନା ବ୍ୟବସାୟୀ, ସିଏ ଏମାନଙ୍କୁ କଟକ ପଠାଇଥିବା ଜଣାପଡିଛି । ତେବେ କଟକରେ କୌଣସି ଏକ ଫାର୍ମ ହାଉସ ଠାରେ ଏହି ଟଙ୍କାକୁ ଗାଡି ସିଟରେ ଥିବା ଗୁପ୍ତ ଲକରରେ ରଖାଯାଇଥିଲା । ଯେଉଁଥିରେ ୨୦୦୦ ଟଙ୍କିଆ ନୋଟ୍, ୫୦୦ ଟଙ୍କିଆ ନୋଟ୍, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ୍ ସହ ପାଖାପାଖି ୧୦ କୋଟି ୯୦ ଲକ୍ଷ ଟଙ୍କା ରହିଥିଲା । ସମସ୍ତ ଟଙ୍କାକୁ ପୋଲିସ ଜବତ କରିଥିବା ବେଳେ ଘଟଣା ନେଇ ଅଧିକ ଛାନଭିନ୍ କରାଯାଉଛି । ତେବେ ନିର୍ବାଚନୀ ବର୍ଷରେ ଏଭଳି ଘଟଣା ଏବେ ଚର୍ଚ୍ଚାର ପରିସରରେ ରହିଛି । ଏପରିକି ଆଗକୁ ନିର୍ବାଚନ ଆସୁଥିବା ବେଳେ ଏହି ଟଙ୍କା ନିର୍ବାଚନରେ ବ୍ୟବହାର ପାଇଁ ମଧ୍ୟ ପଠାଯାଉଥିବା ସନ୍ଦେହ କରାଯାଉଛି ।