ସିଦ୍ଧାନ୍ତ, ସଂସଦ ଓ ସସପେନ୍ସ ! ସିଦ୍ଧାନ୍ତଙ୍କ ରାଜନୈତିକ କ୍ୟାରିୟରରେ ଲାଗିବ କି ‘ଚନ୍ଦ୍ର’ଗ୍ରହଣ ?

75

କନକ ବ୍ୟୁରୋ : ରୋଚକ ହେଉଛି ଗଂଜାମ ଜିଲ୍ଲାର ରାଜନୀତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଯୁବନେତା ବିକ୍ରମ ପଣ୍ଡା, ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତଙ୍କ ପରେ ବ୍ରହ୍ମପୁର ମହାନଗର ନିଗମର ୧୦ ଜଣ କର୍ପୋରେଟର ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏହି ନେତାମାନେ ବିଜେଡିରେ ଯୋଗ ଦେଉଥିବା ଚର୍ଚ୍ଚା ହେଉଛି । ଏପରି ହେଲେ ଗଂଜାମର ରାଜନୈତିକ ସମୀକରଣରେ ବଡ଼ ଧରଣର ପରିବର୍ତନ ହେବ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ ବାଜିରେ ପଡିବା ଆଶଙ୍କା ସୃଷ୍ଟି ହୋଇଛି ।

ବଦଳୁଛି ଗଂଜାମ ଜିଲ୍ଲାର ରାଜନୈତିକ ଦୃଶ୍ୟପଟ । ଏକଦା ଏହି ଜିଲ୍ଲା ଥିଲା କଂଗ୍ରେସର ଗଡ । ଏପରିକି କଂଗ୍ରେସ ପ୍ରାର୍ଥୀ ଭାବେ ବ୍ରହ୍ମପୁର ଆସନରୁ ନିର୍ବାଚନ ଜିତିଥିଲେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଗଠନ ହେବା ପରେ ୮ ଥର କଂଗ୍ରେସ ଜିତିଥିବା ବେଳେ ମାତ୍ର ୩ ଥର ଅଣକଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏବେ କିନ୍ତୁ ବଦଳିଯାଇଛି ଗଂଜାମର ଚିତ୍ର । କଂଗ୍ରେସ ସଂଗଠନକୁ ଯେଉଁ ବରିଷ୍ଠ ନେତାମାନେ ଦୃଢ କରିଥିଲେ, ଏବେ ଦଳ ନିକଟରୁ ମୁହଁ ଫେରାଇ ନେଉଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଯୁବନେତା ବିକ୍ରମ ପଣ୍ଡା, ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ଦଳବଳ ନେଇ କଂଗ୍ରେସ ଛାଡିବା ପରେ ବ୍ରହ୍ମପୁର ମହାନଗର ନିଗମର ୧୦ ଜଣ କର୍ପୋରେଟର ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଫଳରେ ଦୁର୍ବଳ ହୋଇପଡିଛି ଦଳର ସଂଗଠନ ।

ଗଂଜାମ ଜିଲ୍ଲାରେ କେବଳ କଂଗ୍ରେସ ଦୁର୍ବଳ ହୋଇପଡିନାହିଁ । ଜିଲ୍ଲାର ପୂରା ରାଜନୈତିକ ସମୀକରଣ ମଧ୍ୟ ଓଲଟପାଲଟ ହୋଇଯାଇଛି । କାରଣ ଚନ୍ଦ୍ରଶେଖର ସାହୁଙ୍କ ସମେତ ଯେଉଁ ନେତାମାନେ କଂଗ୍ରେସ ଛାଡିଛନ୍ତି, ସେମାନେ ବିଜେଡିରେ ମିଶିବା ଏକପ୍ରକାର ନିଶ୍ଚିତ । କେବଳ ଔପଚାରିକ ମିଶ୍ରଣ ବାକିରହିଛି ।ଗୋଟିଏ ପଟେ ଚନ୍ଦ୍ରଶେଖର ସାହୁ ଓ ବିକ୍ରମ ପଣ୍ଡାଙ୍କ ଭଳି କଂଗ୍ରେସର ତୁଙ୍ଗ ନେତା ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଛି । ଅନ୍ୟପଟେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ କଣ ହେବ, ଏହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ପୂର୍ବରୁ କଂଗ୍ରେସର ଗଡ କୁହାଯାଉଥିବା ବ୍ରହ୍ମପୁର ଲୋକସଭା ଆସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ହରାଇବା ପାଇଁ ବିଜେଡିର ଟ୍ରମ୍ପକାର୍ଡ ସାଜିଥିଲେ ଅଭିନେତାରୁ ନେତା ପାଲଟିଥିବା ସିଦ୍ଧାନ୍ତ ମହାପାତ୍ର । କଂଗ୍ରେସର ହେଭିୱେଟ କୁହାଯାଉଥିବା ଚନ୍ଦ୍ରଶେଖରଙ୍କ ଲୋକପ୍ରିୟତା ସିଦ୍ଧାନ୍ତଙ୍କ ଆଗରେ ଫିକା ପଡିଥିଲା । ୨୦୦୯ ଓ ୨୦୧୪ରେ ଦୁଇ ଦୁଇଥର ଚନ୍ଦ୍ରଶେଖରଙ୍କୁ ପରାଜିତ କରି ସାଂସଦ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର । ଚନ୍ଦ୍ରଶେଖର ସାହୁ ବିଜେଡିରେ ମିଶିଲେ, ସିଦ୍ଧାନ୍ତଙ୍କ ରାଜନୈତିକ ସ୍ଥିତି ଅନ୍ଧାର ଭିତରକୁ ଚାଲିଯିବ ବୋଲି ଚର୍ଚ୍ଚା ହେଉଛି । କାରଣ ଚନ୍ଦ୍ରଶେଖରଙ୍କ ଭଳି ହେଭିୱେଟ୍ ତଥା ଅଭିଜ୍ଞ ନେତାଙ୍କୁ ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଟିକେଟ୍ ମିଳିବା ସମ୍ଭାବନା ଅଧିକ ।

୨୦୧୯ ପୂର୍ବରୁ ଗଂଜାମ ଜିଲ୍ଲାରେ କଂଗ୍ରେସର ସଂଗଠନ ଦୁର୍ବଳ ହୋଇଛି । ବିଜେପି ତା’ର ଶକ୍ତି ବଢାଇବା ପୂର୍ବରୁ ବିଜେଡି ନୂଆ ଗେମ୍ ପ୍ଲାନ ପ୍ରସ୍ତୁତ କରିଛି । ଯୁବନେତା ବିକ୍ରମ ପଣ୍ଡା ବିଜେଡିରେ ମିଶିଲେ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସ୍ଥିତି ଟଳମଳ ହେବ । କାରଣ ୨୦୧୪ରେ ନବୀନଙ୍କ ପ୍ରବଳ ହାୱା ସତ୍ୱେ ମାତ୍ର ଏକ ହଜାରରୁ ସାମାନ୍ୟ ଅଧିକ ଭୋଟରେ ବିକ୍ରମ ପଣ୍ଡାଙ୍କୁ ହରାଇଥିଲେ ଚ୍ୟାଉ ପଟ୍ଟନାୟକ । ଏବେ ବୟସ ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ବ୍ରହ୍ମପୁର ବିଧାନସଭା ପାଇଁ ନବୀନଙ୍କ ପସନ୍ଦ ହୋଇପାରନ୍ତି ବିକ୍ରମ ପଣ୍ଡା । ଏପ୍ରିଲ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ତାଙ୍କ ଦଳବଳ ସହ ଯୋଗ ଦେଇପାରନ୍ତି ବିଜେଡିରେ ।