କୋହଲିଙ୍କ ଦମଦାର ଶତକ, ପ୍ରଶଂସାରେ ପାକିସ୍ତାନ କ୍ରିକେଟର । ଗେଲଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ, ମେ’ ୧୮ରେ ପୁଣି ରଚିଲେ ଇତିହାସ ।

823

କନକ ବ୍ୟୁରୋ : ହାଇଦ୍ରାବାଦରେ ଗର୍ଜିଲା ବିରାଟଙ୍କ ବ୍ୟାଟ୍ । ସନରାଇର୍ଜସ ହାଇଦ୍ରାବାଦ ବିପକ୍ଷରେ ଦମଦାର ଶତକ ସହ ବାଙ୍ଗାଲୋରକୁ ବଡ ବିଜୟ ଭେଟି ଦେଇଛନ୍ତି ବିରାଟ କୋହଲି । ୬୨ ବଲରେ ଶତକ ପୂରା କରିବା ସହ ବାଙ୍ଗାଲୋରର ବିଜୟରେ କୋହଲିଙ୍କୁ ବଡ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ବିଜୟ ସହ ବାଙ୍ଗାଲୋର ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚିଛି ଏବଂ ପ୍ଲେଅଫ୍ ଖେଳିବା ଆଶା ଉଜ୍ଜିବୀତ ରହିଛି । ତେବେ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କୋହଲିଙ୍କ ଦମଦାର ଇନିଂସକୁ ନେଇ ଏବେ ଚର୍ଚ୍ଚା ବଢିବା ଆରମ୍ଭ ହୋଇଛି । ଏପରିକି ପାକିସ୍ତାନ କ୍ରିକେଟର ମଧ୍ୟ କୋହଲିଙ୍କ ଏହି ଇନିଂସର ପ୍ରଶଂସା କରିବାକୁ ଭୁଲି ନାହାନ୍ତି । କେବଳ ଏତିକି ନୁହେଁ ଏହି ଶତକ ସହ ଅନେକ ନୂଆ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ବିରାଟ କୋହଲି ।

ଆଇପିଏଲରେ ୧୪୮୯ ଦିନ ପରେ ବିରାଟଙ୍କ ବ୍ୟାଟରୁ ପୁଣି ଏକ ଶତକ ଦେଖିବାକୁ ମିଳିଛି । ଏହାପୂର୍ବରୁ କୋହଲି ଆଇପିଏଲରେ ୫ଟି ଶତକ ହାସଲ କରିଥିଲେ । ହାଇଦ୍ରାବାଦ ବିପକ୍ଷରେ ଶତକ ସହ କୋହଲି ଆଇପିଏଲରେ ୬ଷ୍ଠ ଶତକ ହାସଲ କରିବା ସହ କ୍ରିସ୍ ଗେଲଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ଗେଲ୍ ମଧ୍ୟ ଆଇପିଏଲରେ ୬ଟି ଶତକ ହାସଲ କରିଛନ୍ତି । ଏହି ଶତକ ହାସଲ ପରେ କୋହଲିଙ୍କୁ ଛୁଟିଛି ପ୍ରଶଂସାର ସୁଅ । କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର କୋହଲି ଓ ଡୁପ୍ଲେସିସଙ୍କ ବ୍ୟାଟିଂ ଶୈଳୀକୁ ପ୍ରଶଂସା କରିଛନ୍ତି । ସଚିନ କହିଛନ୍ତି, ବିରାଟ ପ୍ରଥମ ବଲରୁ ଯେଉଁଭଳି କଭର ଡ୍ରାଇଭରେ ସଟ୍ ଖେଳିଲେ ତାହା ଦର୍ଶାଉଥିଲା ଆଜି କୋହଲିଙ୍କ ଦିନ । ଉଭୟ କ୍ରିକେଟର ବଡ ସଟ୍ ଖେଳିନଥିଲେ କିନ୍ତୁ ଯେଉଁଭଳି ଢଙ୍ଗରେ ପାଳି ସମ୍ଭାଳିଥିଲେ ୧୮୬ ସ୍କୋର ସେମାନଙ୍କ ପାଇଁ ବଡ ସ୍କୋର ନଥିଲା । ସେହିଭଳି ପାକିସ୍ତାନ କ୍ରିକେଟର ମହମ୍ମଦ ଆମିର କୋହଲିଙ୍କର ପ୍ରଶଂସା କରିବା ସହ କହିଛନ୍ତି, କିଙ୍ଗ କୋହଲି ଦମଦାର ଇନିଂସ ଖେଳିଲେ । ସେହିଭଳି ଡୁ ପ୍ଲେସିସ ଓ ବିରାଟଙ୍କ ପାର୍ଟନରସିପକୁ ନେଇ କହିଛନ୍ତି, ଆରସିବିର ଓପନିଂ ଯୋଡି ସବୁଠୁ ଶକ୍ତିଶାଳୀ । ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ କହିଛନ୍ତି, ନିଜ ଷ୍ଟାଇଲରେ କୋହଲି ଶତକ ହାସଲ କରିଛନ୍ତି । ଡୁପ୍ଲେସିସଙ୍କ ପାଇଁ ଚଳିତ ସିଜିନ ଜବରଦସ୍ତ ରହିଛି । ସେହିଭଳି ଡିଭିଲିୟର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚକୁ ନେଇ ସିରିଜ ଟ୍ୱିଟ୍ କରିଥିଲେ । ଯେଉଁଥିରେ କ୍ଲାସେନଙ୍କ ବ୍ୟାଟିଂକୁ ପ୍ରଶଂସା କରିବା ସହ ବାଙ୍ଗାଲୋରର ବିଜୟରେ ଖୁସି ମନାଇଥିଲେ । କୋହଲିଙ୍କ ଶତକକୁ ନେଇ ଡିଭିଲିୟର୍ସ ଏକ ଭିନ୍ନ ଟ୍ୱିଟ୍ କରିଥିଲେ । ଯାହା ଉଭୟଙ୍କ ମଧ୍ୟରେ ଥିବା ଦୃଢ ସମ୍ପର୍କକୁ ଦର୍ଶାଇଥିଲା । ଏପରିକି କୋହଲି ମଧ୍ୟ ମ୍ୟାଚ୍ ପରେ ଡୁପ୍ଲେସିସଙ୍କ ସହ ପାର୍ଟନରସିପକୁ ନେଇ କହିଥିଲେ, ଡିଭିଲିୟର୍ସଙ୍କ ସହ ବ୍ୟାଟିଂ କଲା ଭଳି ଲାଗୁଛି ।

ଅନ୍ୟପଟେ ହାଇଦ୍ରାବାଦ ବିପକ୍ଷରେ ଶତକ କୋହଲିଙ୍କ ପାଇଁ ବେଶ ସ୍ପେଶାଲ ସାଜିଛି । ୧୮ ନମ୍ବର ଜର୍ସିରେ କୋହଲି ୧୮ ତାରିଖରେ ହିଁ ଶତକ ହାସଲ କରିଛନ୍ତି । ଏହାପୂର୍ବରୁ ମଧ୍ୟ ସମାନ ଘଟଣା ୨୦୧୬ ମସିହାରେ ଦେଖିବାକୁ ମିଳିଥିଲା । ୨୦୧୬ ମେ’ ୧୮ରେ ମଧ୍ୟ କୋହଲି ପଞ୍ଜାବ ବିପକ୍ଷରେ ଶତକ ହାସଲ କରିଥିଲେ । ହାତରେ ଆଘାତ ଥିଲେ ମଧ୍ୟ ୯ଟି ଷ୍ଟିଚ୍ ପକାଇ ଦମଦାର ଶତକ ସହ ଦଳକୁ ବିଜୟୀ କରିଥିଲେ କୋହଲି । ୨୦୧୬ରେ ମଧ୍ୟ ଆରସିବି ଫାଇନାଲ ଖେଳିଥିଲା ।