କାହିଁକି ଟିକା ନେବାକୁ ଅମଙ୍ଗ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ? ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିଆସୁଥିବା ବେଳେ କେତେ ସ୍ୱାସ୍ଥ୍ୟକର୍ମୀ ନେଲେଣି ଟିକା?

ଚଳିତ ମାସ ୧୬ ତାରିଖରୁ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଛି।

67

ଚଳିତ ମାସ ୧୬ ତାରିଖରୁ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଲାଗି ସରକାରୀ ନିଷ୍ପତ୍ତି ହୋଇଥିବାରୁ ସ୍ବାସ୍ଥ୍ୟକର୍ମୀମାନେ ଟିକା ନେଉଛନ୍ତି। ଏହା ଭିତରେ ୧୦ ଦିନ ଟିକାକରଣ ହୋଇ ସାରିଲାଣି, ତଥାପି ରାଜଧାନୀ ଭୁବନେଶ୍ବର ଏବଂ ରାଜ୍ୟର ୮ଟି ଜିଲ୍ଲାରେ ଟିକାକରଣ ନୈରାଶ୍ୟଜନକ ରହିଛି। ଆସନ୍ତା ଫେବ୍ରୁଆରି ୧୦ ସୁଦ୍ଧା ପ୍ରଥମ ଡୋଜ୍‌ ଟିକା ପ୍ରଦାନ ସାରିବା ଲାଗି ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବା ବେଳେ କିଛି ଜିଲ୍ଲାରେ ସ୍ବାସ୍ଥ୍ୟକର୍ମୀ ଟିକା ନେବା ପାଇଁ ଅମଙ୍ଗ ହେବା ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି।

ମେସେଜ୍ ଆସିବା ସତ୍ତ୍ବେ ଯେଉଁମାନେ ଟିକା ନେଉନାହାନ୍ତି, ପରବର୍ତୀ ସମୟରେ ସେମାନଙ୍କୁ ଆଉ ମାଗଣା ଟିକା ଦିଆଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରି ଦେଇଛନ୍ତି। ଏପରିକି ଦାବି ପୂରଣ ନ ହେଲେ ଟିକା ବର୍ଜନ କରିବ‌େ ବୋଲି କହୁଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଟିକା ନେଇ ସାରିଲେଣି। ଆଉ ଯେଉଁମାନେ ଅଛନ୍ତି, ସେମାନେ ମଧ୍ୟ ଖୁବ୍‌ଶୀଘ୍ର ଟିକା ନେବେ ବୋଲି କହୁଛନ୍ତି। ଏହା ସତ୍ତ୍ବେ କେତେକ ଜିଲ୍ଲାରେ ଟିକାକରଣ ଆଶାନୁରୂପ ନ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟିକାକୁ ନେଇ ରହିଥିବା ଦ୍ବନ୍ଦ୍ବ ଦୂର କରିବାରେ ସରକାରୀସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବା ଏହାର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

କରୋନା ଟିକାକରଣରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ପାଲଟିଛି। ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୩ଲକ୍ଷ ୩୮ହଜାର ୭ଶହ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଗତକାଲି ସୁଦ୍ଧା ରାଜ୍ୟରେ ୧ଲକ୍ଷ ୯୪ହଜାର ୫୮ଜଣ ଟିକା ନେଇ ସାରିଲେଣି। ସମୁଦାୟ ସ୍ବାସ୍ଥ୍ୟକର୍ମୀଙ୍କ ଏହା ହେଉଛି ୫୭.୩ ପ୍ରତିଶତ। ତେବେ ଦେବଗଡ଼ରେ ଧାର୍ଯ୍ୟ ଲକ୍ଷ୍ୟର ୪୨ପ୍ରତିଶତ ଟିକାକରଣ ହୋଇଥିବା ବେଳେ ଖୋର୍ଧାରେ ୬୧ ପ୍ରତିଶତ ହୋଇଛି। ଯାଜପୁରରେ ୬୨, ଜଗତସିଂହପୁରରେ ୬୬, ନୟାଗଡ଼ରେ ୬୭, ଭୁବନେଶ୍ବର ସହରାଞ୍ଚଳ ଓ କଟକରେ ୭୬, ସମ୍ବଲପୁରରେ ୭୭ ଓ କେନ୍ଦୁଝରେ ୭୮ ପ୍ରତିଶତ ଟିକାକରଣ ହୋଇଛି। ଏବେ ଟିକାର ପ୍ରଥମ ଡୋଜ୍ ଦିଆଯାଉଛି। ଫେବ୍ରୁଆରି ୧୫ ତାରିଖରେ ଦ୍ବିତୀୟ ଡୋଜ୍‌(୨୮ଦିନ ପରେ) ଦିଆଯିବ। ତେଣୁ ଆସନ୍ତା ୧୦ ତାରିଖ ସୁଦ୍ଧା ଏସବୁ ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି। ଏପରିକି ଟିକା ନ ନେଲେ, ପରବର୍ତୀ ସମୟରେ ଦ୍ବିତୀୟବାର ସରକାରୀ ସ୍ତରରେ ଆଉ ଟିକା ନେଇପାରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଗୋଟିଏ ପଟେ ଓଡ଼ିଶା ଟିକାକରଣରେ ଆଗୁଆ ରହିଥିବା ବେଳେ କିଛି ଜିଲ୍ଲାରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନ ହେବା ନେଇ ଏକପ୍ରକାର ଆଶଙ୍କା ସୃଷ୍ଟି ହେଲାଣି।

ବରିଷ୍ଠ ଚିକିତ୍ସକ ଡା. କ୍ଷୀରୋଦ ରାଉତଙ୍କ କହିବା ମୁତାବକ, ଲୋକଙ୍କ ମନରେ ଟିକାକୁ‌ ନେଇ ରହିଥିବା ହେଜିଟେନ୍‌ସି ବା ଦ୍ବିଧାର ଅନେକଗୁଡ଼ିଏ କାରଣ ରହିଛି। ଟିକା କେତେ ସୁରକ୍ଷିତ ଓ କେତେଦିନ ପର୍ଯ୍ୟନ୍ତ ଏହା କରୋନା ଭୂତାଣରୁ ସୁରକ୍ଷା ଦେବ, ‌ତାହାର କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ। ଏହାସହ ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ମଧ୍ୟ ଅନେକ ଚିନ୍ତିତ ହେବା ସ୍ବାଭାବିକ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଟିକା ନେଉଥିବା ବେଳେ ସେମାନଙ୍କର ହୁଏତ କିଛି ଚାକିରି ସଂପର୍କିତ ଦାବି ରହିଥାଇପାରେ। ଯାହାକୁ ନେଇ ସେମାନେ ଟିକା ନେବାକୁ ଅମଙ୍ଗ ହୋଇପାରିଥାନ୍ତି। ଏହାସହ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ଟିକା ନେବାର କ’ଣ ଆବଶ୍ୟକତା ରହିଛି, ତାହା ମଧ୍ୟ ଅନେକଙ୍କୁ ଟିକା ନେବାରେ ପଛଘୁଞ୍ଚା ଦେଇପାରେ। ଅଧିକାଂଶ ଭୂତାଣୁ ସଂକ୍ରମଣରେ ଦେଖାଯାଇଛି ଯେ ଟିକାକରଣ ଆରମ୍ଭ ହେବା ପୂର୍ବରୁ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥାଏ। ଟିକା କ’ଣ ଜୀବନସାରା କରୋନା ସଂକ୍ରମଣରୁ ସୁରକ୍ଷା ଦେଇପାରିବ?, ତାହା ମଧ୍ୟ ଲୋକଙ୍କୁ ଆନ୍ଦୋଳିତ କରୁଛି। ସଂକ୍ରମଣ ଶୀର୍ଷରେ ଥିବା ସମୟରେ ଯଦି ଟିକାକରଣ ହୋଇଥା’ନ୍ତା, ହୁଏତ ଲୋକମାନେ ଆଗ୍ରହର ସହ ନେଇଥା’ନ୍ତେ। ତେଣୁ ଲୋକଙ୍କ ମନରେ ରହିଥିବା ଏସବୁ ଦ୍ବନ୍ଦ୍ବ ଦୂର ନ ହେବା ପର୍ଯ୍ୟନ୍ତ ଟିକାକରଣ ନେଇ ଏଭଳି ପରିସ୍ଥିତି ଦେଖା ଦେଇପାରେ ବୋଲି ଡା. ରାଉତ କହିଛନ୍ତି।

ରାଜ୍ୟରେ ପୂର୍ବରୁ ଟିକାକରଣକୁ ବର୍ଜନ ଘୋଷଣା କରିଥିଲା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ/ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ। ମହାସଂଘର ସାଧାରଣ ସଂପାଦିକା ମମତା ନାୟକ କହିଛନ୍ତି, ସଂଘ ଅଧୀନରେ ରହିଥିବା ଅଧିକାଂଶ କର୍ମଚାରୀ ଟିକା ନେଇ ସାରିଲେଣି। ରାଜ୍ୟରେ ସବୁ ସ୍ଥାନରେ ଟିକାକରଣ ଅଧିବେଶନ ଆୟୋଜିତ ହୋଇ ନ ଥିବାରୁ ଯେଉଁମାନଙ୍କୁ ମେସେଜ୍ ଆସୁଛି, ସେମାନେ ଟିକା ନେଉଛନ୍ତି। ସଂଘର ରହିଥିବା ଦାବି ପୂରଣ ଲାଗି ରାଜ୍ୟ ସରକାରଙ୍କୁ ଆହୁରି ୧ମାସ ମହଲତ ଦିଆଯାଇଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମତୀ ନାୟକ କହିଛନ୍ତି।

ରାଜ୍ୟ ଟିକାକରଣର ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ପୂର୍ବରୁ ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ଟିକାକୁ ନେଇ ଯେଉଁ ଦ୍ବିଧା ରହିଥିଲା, ତାହା ଏବେ ନାହିଁ। ଏବେ ସେମାନେ ଟିକା ନେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ମାତ୍ର ଅନେକଙ୍କ ମନରେ ଟିକାକୁ ନେଇ ଆତ୍ମସନ୍ତୁଷ୍ଟି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। କମ୍ ଟିକାକରଣ ହେବା ପଛରେ ଅନ୍ୟ କିଛି କାରଣ ରହିଥିବା ମନେ ହେଉନାହିଁ ବୋଲି ଡା. ପାଣିଗ୍ରାହୀ କହିଛନ୍ତି।