କାଲି ସଂସଦରେ ଉପସ୍ଥାପିତ ହେବ ବଜେଟ୍: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ୨୦୨୧-୨୨ର ବ୍ୟୟବରାଦ; ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ହୋଇପାରେ ବଡ ଘୋଷଣା

ସେପଟେ ବଜେଟ ପୂର୍ବରୁ ଖସିଲା ସେୟାର ବଜାର, ୧୧.୫୮ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

83

କନକ ବ୍ୟୁରୋ: ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ । ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଫେବୃୟାରୀ ୧ ତାରିଖ ଦିନ ୧୧ଟାରେ ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ନିର୍ମଳାଙ୍କ ଏହା ତୃତୀୟ ତଥା କରୋନା କାଳ ପରେ ପ୍ରଥମ ବଜେଟ । ତେଣୁ ସରକାର କଣ ଆଶ୍ୱସ୍ତ ଦେବାକୁ ଯାଉଛନ୍ତି ତା’ଉପରେ ସମସ୍ତଙ୍କ ନଜର ରହିଛି । କରୋନା ମହାମାରୀ ପାଇଁ ଉଭୟ ଜୀବନ ଜୀବିକା ପ୍ରଭାବିତ କରିଥିବାରୁ ଆଶା କରାଯାଉଛି. ଉଭୟ ଅର୍ଥନୀତିକୁ ମଜବୁତ କରିବା ସହିତ ଲୋକଙ୍କୁ ରିହାତି ଦେବାଲାଗି ଅର୍ଥମନ୍ତ୍ରୀ ପଦକ୍ଷେପ ନେବେ ।

ଆଗାମୀ ବଜେଟ୍ ପୂର୍ବ ବଜେଟ ତୁଳନାରେ ଭିନ୍ନ ରହିବ ବୋଲି ପୂର୍ବରୁ ଅର୍ଥମନ୍ତ୍ରୀ କହିସାରିଛନ୍ତି । ସେହି ଦୃଷ୍ଟିରୁ ଆୟକରରେ ଅନେକ ରିହାତ ମିଳିବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ଭାରତକୁ ଆତ୍ମନିର୍ଭର କରିବା ମହତକାଂକ୍ଷା ରଖିଛନ୍ତି । ତେଣୁ ଆଗାମୀ ବଜେଟରେ ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ  ମଜବୁତ କରିବାକୁ ପଦକ୍ଷେପ ନିଆଯାଇପାରେ । ଗତବର୍ଷ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଆହ୍ୱାନ ଦେଇ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ମଂଚରେ ଏହାର ଚର୍ଚ୍ଚା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶେଷଜ୍ଞଙ୍କ ମତରେ ଏଥିପାଇଁ ସରକାର ଆମଦାନୀକୁ ମହଙ୍ଗା କରିପାରନ୍ତି, ଅର୍ଥାତ ସାମଗ୍ରୀ ଆମଦାନୀ ଉପରେ ଶଳ୍କ ବଢାଇପାରନ୍ତି ।

ସେହିପରି ରପ୍ତାନୀକୁ ପ୍ରତିସ୍ପର୍ଧା କରିବାକୁ ପଦକ୍ଷେପ ନେଇପାରନ୍ତି କେନ୍ଦ୍ର ସରକାର । ଏଥିସହ ଶିକ୍ଷା ଓ କୌଶଳ ବିକାଶ ପାଇଁ ଅଧିକ ଅର୍ଥ ଆବଂଟନ ଏବଂ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ଉପରେ ଜୋର ଦେଇ ଦେଶକୁ ଆତ୍ମନିର୍ଭର ରାସ୍ତାରେ ସରକାର ଆଗେଇ ନେଇପାରନ୍ତି । ସେପଟେ ବଜେଟ ଆଗତ ହେବା ପୂର୍ବରୁ ସେୟାର ବଜାରରେ ସେନସେକ୍ସ ତଳମୁହାଁ ହୋଇଛି । ଫଳରେ ନିବେଶକ ୧୧ ଦଶମିକ ୫୮ ଲକ୍ଷ କୋଟି ଟଙ୍କା ହରାଇଥିବା ସୂଚନା ମିଳିଛି ।

ଏପଟେ, ବଜେଟ ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ଉଠାଇଛି ବିଜୁ ଜନତା ଦଳ । ଏହି ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ସର୍ବଦଳୀୟ ବୈଠକରେ କହିଛନ୍ତି ପିନାକୀ ମିଶ୍ର । ଲୋକସଭାରେ ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଏହି ବୈଠକରେ କହିଛନ୍ତି-୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୭ଟି ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା ବିଜେଡି । ସେମାନଙ୍କ ମଧ୍ୟରୁ ୫ ଜଣ ପ୍ରାର୍ଥୀ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଆହୁରୀ କହିଛନ୍ତି-ଦେଶର ଏକମାତ୍ର ଦଳ ଭାବେ ବିଜେଡି ଲୋକସଭା ପାଇଁ ଏକତୃତୀୟାଂଶ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା ।