ସଚିନଙ୍କୁ ପଛରେ ପକାଇବେ ବିରାଟ ! ମାଷ୍ଟରବ୍ଲାଷ୍ଟରଙ୍କର ଆଉ ଏକ ବ୍ୟାଟିଂ ରେକର୍ଡକୁ ଭାଙ୍ଗିବେ କୋହଲି ।

30

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆଗାମୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଅବସରରେ ଆଉ ଏକ ବ୍ୟାଟିଂ କୀର୍ତିମାନକୁ ଭାଙ୍ଗିବାର ସୁଯୋଗ ପାଇବେ । ଏହି ଶୃଙ୍ଖଳାରେ ଆଉ ୧୮୭ ରନ୍ କରିପାରିଲେ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପକ୍ଷରୁ ସର୍ବାଧିକ ଦିନିକିଆ ଆନ୍ତର୍ଜାତିକ ରନ୍ ସ୍କୋରର୍ ହେବାରେ ସର୍ବକାଳୀନ କୀର୍ତିମାନ ନିଜ ନାମରେ କରିନେବେ । ଏ କ୍ଷେତ୍ରରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ ଟପିଯିବେ ।

ଅବସର ନେଇସାରିଥିବା ତେନ୍ଦୁଲକର ତାଙ୍କ ଦୁଇ ଦଶନ୍ଧୀରୁ ଅଧିକ ସମୟର ଜାଜୁଲ୍ୟମାନ ଆନ୍ତର୍ଜାତିକ କ୍ରିକେଟ୍ ଜୀବନ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମୋଟ ୩୯ ଦିନିକିଆ ମ୍ୟାଚ୍ ଖେଳି ୫୨.୭୩ ହାରରେ ୧୫୭୩ ରନ୍ କରିଛନ୍ତି । ସେଥି ମଧ୍ୟରେ ୪ ଶତକ ଓ ୧୧ ଅର୍ଧଶତକ ସାମିଲ ରହିଛି । ବିରାଟ କୋହଲି ଏପର୍ଯ୍ୟନ୍ତ ଇଣ୍ଡିଜ୍ ବିପକ୍ଷରେ ୨୭ ଦିନିକିଆ ମ୍ୟାଚ୍ ଖେଳି ସାରିଥିଲା ବେଳେ ୬୦.୩୦ ହାରରେ ୧୩୮୭ ରନ୍ କରିସାରିଛନ୍ତି । କୋହଲି ସଚିନଙ୍କ ଭଳି ୪ ଶତକ ଜମାଇ ସାରିଥିଲା ବେଳେ ୯ ଅର୍ଧଶତକ ମାରିଛନ୍ତି । ତେଣୁ ଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ଶୃଙ୍ଖଳାରେ ସଚିନଙ୍କ ସବୁ (ଶତକ, ଅର୍ଧଶତକ ଓ ମୋଟ ରନ୍) କୀର୍ତିମାନକୁ ଟପିଯିବାର ସୁଯୋଗ କୋହଲିଙ୍କ ପାଖରେ ରହିଛି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ଦିନିକିଆ ରନ୍ କରିଥିବା କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ତାଲିକାରେ ସଚିନ୍ ଓ କୋହଲିଙ୍କ ପଛକୁ ରାହୁଲ ଦ୍ରାବିଡ୍ (୧୩୪୮ ରନ୍, ୪୦ ମ୍ୟାଚ୍), ସୌରଭ ଗାଙ୍ଗୁଲି (୧୧୪୨ ରନ୍, ୨୭ ମ୍ୟାଚ୍), ମହମ୍ମଦ ଆଝାରୁଦ୍ଦିନ୍ (୯୯୮ ରନ୍, ୪୩ ମ୍ୟାଚ୍), ଯୁବରାଜ ସିଂହ (୯୭୮ ରନ୍, ୩୧ ମ୍ୟାଚ୍) ଏବଂ ମହେନ୍ଦ୍ର ସିଂହ ଧୋନି (୮୯୯ ରନ୍, ୩୩ ମ୍ୟାଚ୍) ଯଥାକ୍ରମେ ତୃତୀୟରୁ ସପ୍ତମ ସ୍ଥାନରେ ରହିଛନ୍ତି ।