ଡିଆରଏସକୁ ନେଇ ବଢିଲା ବିବାଦ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ କିଛି ଏମିତି କଲେ ଟିମ୍ ଇଣ୍ଡିଆର ଖେଳାଳୀ ।

316

କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୧୧୧ ରନର ଆବଶ୍ୟକତା ଥିବା ବେଳେ ଟିମ୍ ଇଣ୍ଡିଆକୁ ଆବଶ୍ୟକ ମାତ୍ର ୮ ୱିକେଟ । ତେଣୁ ଉଭୟ ଦଳ ଏହି ମ୍ୟାଚ୍ ବିଜୟୀ ହେବା ନେଇ ଆଶାବାଦୀ ରହିଛନ୍ତି । ତେବେ ମ୍ୟାଚର ତୃତୀୟ ଦିନରେ ବଡ ବିବାଦ ଦେଖାଦେଇଛି, ଏବଂ ତାହା ପୁଣି ଡିଆରଏସକୁ ନେଇ । ୨୧୨ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମରୁ ହିଁ ୱିକେଟ ହରାଇ ସଙ୍କଟରେ ପଡିଥିଲା । ଆଉ ୬୦ ରନରେ ଦଳକୁ ଦ୍ୱିତୀୟ ଝଟକା ଲାଗିଥିଲା । ଦଳର ଅଧିନାୟକ ଡିନ୍ ଏଲଗରଙ୍କୁ ଏଲବିଡବ୍ଲୁ ଆଉଟ କରିଥିଲେ ଅଶ୍ୱିନୀ । ଫିଲ୍ଡ ଅମ୍ପାୟର ମଧ୍ୟ ଏଲଗାରଙ୍କୁ ଆଉଟ ଘୋଷିତ କରିଥିଲେ । କିନ୍ତୁ ଏଲଗର ଡିଆରଏସ ନେବା ପଲଟିଯାଇଥିଲା ନିଷ୍ପତ୍ତି ।

ଟିଭି ରିପ୍ଲେରେ ବଲ ଇମ୍ପାକ୍ଟ ଓ ପିଚିଙ୍ଗ ଲାଇନରେ ରହିଥିଲା । ତେବେ ଆଶ୍ଚର୍ଯ୍ୟଜନକ ଏହା ୱିକେଟକୁ ଛୁଇଁନଥିଲା । ଯେଉଁଥିପାଇଁ ଟିଭି ଅମ୍ପୟାର ଏଲଗରଙ୍କୁ ନଟଆଉଟ ଘୋଷିତ କରିଥିଲେ  ।ଆଉ ଏଭଳି ନିଷ୍ପତ୍ତି ଫିଲ୍ଡ ଅମ୍ପାୟର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ଗୋଟିଏ କୋଣରୁ ଦେଖିଲେ ଏହା ୱିକେଟକୁ ଛୁଇଁଥାନ୍ତା ଏବଂ କିନ୍ତୁ ନୂଆ ଜ୍ଞାନକୌଶଳ ଭାରତ ପାଇଁ ଭିଲିଆନ ସାଜି ଉଭା ହୋଇଥିଲା । ଯେଉଁଥିପାଇଁ ଏହା ୱିକେଟକୁ ମିସ୍ କରୁଥିବା ଦର୍ଶାଇ ଏଲଗରଙ୍କୁ ନଟଆଉଟ କରାଯାଇଥିଲା । ଆଉ ଏହାପରେ ଆରମ୍ଭ ହୋଇଥିଲା ବିବାଦ । ଭାରତର ଅଧିକାଂଶ ଖେଳାଳୀ ଷ୍ଟମ୍ପ ପାଖକୁ ଆସି ନିଜର ଅସନ୍ତୋଷ ଜାହିର କରିଥିଲେ ।

ଏଭଳି ନିଷ୍ପତ୍ତି ଆସିବା ପରେ ଫିଲ୍ମ ଅମ୍ପାୟର କହିଥିଲେ, ଏହା ଅସମ୍ଭବ । ଆଉ ଷ୍ଟମ୍ପ ପାଖରେ ଥିବା ଅଶ୍ୱିନୀ କହିଥିଲେ, ଆପଣଙ୍କୁ ଜିତିବା ପାଇଁ ଭିନ୍ନ ତରିକା ଆପଣାଇବା ଆବଶ୍ୟକ । ଆଉ ଏହି ନିଷ୍ପତ୍ତି ରେ ଉତ୍ତ୍ୟକ୍ତ ଥିବା ଅଧିନାୟକ କୋହଲି କହିଥିଲେ, ନିଜ ଟିମ ଉପରେ ଫୋକସ କର, କେବଳ ବିରୋଧୀ ଟିମ୍ ଉପରେ ନୁହେଁ । ଡିଆରଏସ ବହୁତ ଭଲ କାମ କରିଛି । ଅନ୍ୟପଟେ ଉପ-ଅଧିନାୟକ କେ.ଏଲ ରାହୁଲ କହିଥିଲେ ପୂରା ଦେଶ ଏବେ ୧୧ ଜଣଙ୍କ ବିପକ୍ଷରେ ଖେଳୁଛି । ସେହିଭଳି ମୟଙ୍କ କହିଥିଲେ, ଏହା ଭଲ ନୁହେଁ । ଆପଣ ଖେଳକୁ ଏବେ ଖରାପ କରୁଛନ୍ତି, ଏହା ଆୟୋଜକ ବ୍ରଡକାଷ୍ଟରଙ୍କ ଇସାରାରେ ହେଉଛି । କିଛି ଏଭଳି କହି ଟିମ୍ ଇଣ୍ଡିଆର ଖେଳାଳୀ ମାନେ ନିଜର ଅସନ୍ତୋଷ ଜାହିର କରିଥିଲେ ।

ତେବେ ତୃତୀୟ ଦିନ ଖେଳ ଶେଷ ହେବାକୁ ଆଉ ଦୁଇଟି ବଲ ଥିବା ବେଳେ ଡିନ୍ ଏଲଗରଙ୍କୁ ଆଉଟ କରି ପୁଣିଥରେ ମ୍ୟାଚରେ କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ । ତେବେ ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୧୧୧ ରନ୍ ଆବଶ୍ୟକ ଥିବା ବେଳେ ଭାରତକୁ ୮ଟି ୱିକେଟର ଆବଶ୍ୟକତା ରହିଛି ।