ଓଡ଼ିଶାକୁ ମିଳିତ ଜାତିସଂଘର ପ୍ରଶଂସା । କହିଲେ, ବିପର୍ଯ୍ୟୟର ମୁକାବିଲା ପାଇଁ ଭଲ ପ୍ରସ୍ତୁତି କରିଥିଲେ ରାଜ୍ୟ ସରକାର, ବଞ୍ଚିଗଲା ଲକ୍ଷ ଲକ୍ଷ ଜୀବନ ।

141

କନକ ବ୍ୟୁରୋ: ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ ର ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି  । କାରଣ ଏଭଳି ପ୍ରଳୟଙ୍କାରୀ ବାତ୍ୟାକୁ ଯେଉଁଭଳି ପୂର୍ବ ପ୍ରସ୍ତୁତି ରହି ବ୍ୟାପକ ପଦକ୍ଷେପ ନେଇ ରାଜ୍ୟ ସରକାର ମୁକାବିଲା କଲେ ତାହା ଏବେ ଦେଶର ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଲା ବୋଲି କହିଛନ୍ତି ମିଳିତ ଜାତିସଂଘ । 

ଗତ ୩ ତାରିଖ ପୂର୍ବରୁ ଯେଉଁଭଳି ‘ଫୋନି’ ଧିରେ ଧିରେ ଓଡ଼ିଶା ଆଡ଼କୁ ମୁହାଁଇଥିଲା ସେବେଠାରୁ ଓଡ଼ିଶା ସରକାର ଏହାଉପରେ ତୀକ୍ଷ୍ଣ ନଜର ରଖି ପୂର୍ବ ପ୍ରସ୍ତୁତି ଚଳାଇଥିଲେ । ସବୁଠାରୁ ବଡ଼କଥା ହେଲା ଯେ, ମାତ୍ର ୨୪ ଘଣ୍ଟା ମଧ୍ୟରେ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକରୁ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବାରେ ସଫଳ ହୋଇଥିଲେ । ଯାହାର ଫଳ ସ୍ୱରୂପ ଆଜି କୋଠାବାଡ଼ି ଭାଙ୍ଗି ଯାଇଛି ସତ କିନ୍ତୁ ଲକ୍ଷ ଲକ୍ଷ ଜୀବନ ସୁରକ୍ଷିତ ରଖିବାରେ ସଫଳତା ହାସଲ କରିଛନ୍ତି ରାଜ୍ୟ ସରକାର । ଆଉ ଏହି ବୃହତ ସ୍ଥାନାନ୍ତରଣ ପ୍ରକ୍ରିୟାରେ ରାଜ୍ୟ ସରକାର ଇତିହାସ ରଚିଥିବା କହିଛନ୍ତି ଜାତିସଂଘ । 

ଜାତିସଂଘ ବିପର୍ଯ୍ୟୟ ପ୍ରଶମନ ତରଫରୁ କୁହାଯାଇଛି କି, ବାତ୍ୟା ନାଁ ଶୁଣିବା ପରଠାରୁ ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ଥିଲା ଜିରୋ କାଜୁଆଲିଟୀ  । ଦୀର୍ଘ ୨୦ ବର୍ଷ ତଳେ ୧୯୯୯ ମସିହା ମହାବାତ୍ୟାରେ ଯେଉଁଭଳି ପ୍ରାଣହାନି ହୋଇଥିଲା ଏହାରି ମଧ୍ୟରେ ବିଭିନ୍ନ ପଦକ୍ଷେପ ନେଇ ବିପର୍ଯ୍ୟ ପ୍ରତିରୋଧଭାବେ ଓଡ଼ିଶା ସରକାର କାର୍ଯ୍ୟ କରୁଛନ୍ତି ବୋଲି ଜାତିସଂଘ ପ୍ରଶଂସା କରିଛି । 

ଦୀର୍ଘ ୨୦ ବର୍ଷ ତଳେ ହୋଇଥିବା ମହାବାତ୍ୟାରେ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାବେଳେ ରାଜ୍ୟ ସରକାର ଏବେ ୮୭୯ଟି ବହୁମୂଖୀ ବାତ୍ୟା ଆଶ୍ରସ୍ଥଳୀ ନିର୍ମାଣ କରି ସଜାଗ ରହିଛନ୍ତି । ଯାହାକି ରାଜ୍ୟ ସରକାରଙ୍କ ବଡ଼ ଉପଲବ୍ଧି । ଏହାସହ ରାଜ୍ୟର ୪୦୦ ରୁ ଅଧିକ ସଂଗଠନରୁ ସ୍ୱାଚ୍ଛାସେବୀମାନଙ୍କୁ  ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ତାଲିମ ନେଇ ପ୍ରସ୍ତୁତ ରହୁଛନ୍ତି । କେବଳ ଏତିକି ନୁହେଁ ଦୁର୍ବିପାକ ସମୟରେ କିଭଳି ଯୋଗାଯୋଗରେ ସମସ୍ୟା ସୃଷ୍ଟି ନହେବ ସେନେଇ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଯେଉଁଥିରେ ପ୍ରଭାବିତ ଜିଲ୍ଲାମାନଙ୍କର ଜିଲ୍ଲାପାଳମାନଙ୍କୁ ଡ଼ିଜିଟାଲ୍ ମୋବାଇଲ୍ ସାଟେଲାଇଟ୍ ରେଡ଼ିଓ ସିଷ୍ଟମ୍  ଯୋଗାଇ ଦିଆଯାଇଛି ।  ଯାହାଫଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରୁଛି ।