ମହାନଦୀ ଗର୍ଭରେ ଠାବ ହେଲା ଟ୍ରକ : ୧୦ ଘଣ୍ଟା ଅପରେସନ ପରେ ମିଳିଲା ସନ୍ଧାନ, କାଲି ପାଣିରୁ ବାହାର କରିବାକୁ ହେବ ଅପରେସନ

73

କନକ ବ୍ୟୁରୋ: ମହାନଦୀରେ ବୁଡିଥିବା ଟ୍ରକକୁ ଠାବ କଲେ ଉଦ୍ଧାରକାରୀ ଦଳ । ଗତକାଲି ଜଗତସିଂହପୁର ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଖସିପଡିଥିଲା ୧୪ ଚକିଆ ଟ୍ରକ । ଉଦ୍ଧାରକାରୀ ଦଳଙ୍କ କହିବା ମୁତାବକ ଟ୍ରକଟି ବର୍ତ୍ତମାନ ପାଖାପାଖି ୪୦ ଫୁଟ ଗଭୀର ପାଣିରେ ଠାବ ହୋଇଛି । ପ୍ରତିକୂଳ ପାଗ ଯୋଗୁଁ ଆଜି ଉଦ୍ଧାର ହୋଇପାରିଲା ନାହିଁ । ଆସନ୍ତା କାଲି ଟ୍ରକଟିକୁ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି ।

ଗତକାଲି ଅନ୍ଧାର ହୋଇଥିବାରୁ ଉଦ୍ଧାରକାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିଲା । ଆଜି ପୁଣି ସକାଳୁ ସକାଳୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ , ସାମୂଦ୍ରିକ ପୋଲିସ ସହ ସ୍ଥାନୀୟ ପୋଲିସ ମଧ୍ୟ ନିୟୋଜିତ ହୋଇଥିଲେ । ଏହାସହ ସ୍ଥାନୀୟ ମତ୍ସ୍ୟଜୀବିର ଏକ ଟିମ ମଧ୍ୟ ପ୍ରଶାସନକୁ ଅନୁରୋଧ କରି ଅପରେସନରେ ସହାୟତା କରିଥିଲେ । ଯାହାଦ୍ୱାରା ୧୦ ଘଣ୍ଟାର ଅପରେସନ ମଧ୍ୟରେ ଟ୍ରକଟିକୁ ଠାବ କରାଯାଇ ପାରିଛି । ପାଖାପାଖି ୪୦ଫୁଟ ଗଭୀର ପାଣିରେ ଥିବା ଟକ୍ରକୁ ଆସନ୍ତା କାଲି ଉଦ୍ଧାର କରାଯିବ ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଅଜିତ ମଣ୍ଡଳ ନାମକ ଟକ୍ର ଚାଳକ ଗତକାଲି ଭାରସଭ୍ୟ ହରାଇ ପାରାଦୀପ ଭୁତମୁଣ୍ଡାଇ ପୋଲରୁ ମହାନଦୀକୁ ଖସି ପଡିଥିଲେ । କିନ୍ତୁ ତାଙ୍କ ସହିତ କେହି ହେଲପର ଥିଲେ ନା ନାହିଁ ସେ ବିଷୟରେ ଜଣା ନଥିବା କହିଛନ୍ତି ସ୍ଥାନୀୟ ଲୋକ ।