ଟ୍ରାଫିକ କର୍ମଚାରୀଙ୍କ ପାଇଁ ଆସିଲା କୁଲିଂ ଜ୍ୟାକେଟ, ଆଉ ଖରାରେ ହନ୍ତସନ୍ତ ହେବେନି ଟ୍ରାଫିକ କର୍ମଚାରୀ ।

38

କନକ ବ୍ୟୁରୋ : ଟ୍ରାଫିକ କର୍ମଚାରୀଙ୍କ ପାଇଁ ଖୁସି ଖବର । କାରଣ ଟ୍ରାଫିକ କର୍ମଚାରୀଙ୍କ ପାଇଁ ଆସିଲା କୁଲିଂ ଜ୍ୟାକେଟ । ଯାହା ଖରାରେ ଛିଡା ହୋଇ କାମ କରୁଥିବା ଟ୍ରାଫିକ କର୍ମଚାରୀଙ୍କ ପାଇଁ ବଡ ଆଶ୍ୱସ୍ତି ଆଣିଛି । କାରଣ ଏହି କୁଲିଂ ଜ୍ୟାକେଟ ପିନ୍ଧିବା ଦ୍ୱାରା ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ କମିଯିବ । ଆଉ ଟ୍ରାଫିକ କର୍ମଚାରୀଙ୍କୁ ଏଭଳି କୁଲିଂ ଜ୍ୟାକେଟ ଯୋଗାଇ ଦେଇଛି ପୋଲିସ ବିଭାଗ । ଏହାବାଦ୍ ଟ୍ରାଫିକ କର୍ମଚାରୀଙ୍କୁ ପେଟ୍ରୋଲିଂ ପାଇଁ ୧୬ଟି ନୂଆ ବାଇକ ମଧ୍ୟ ଯୋଗାଇ ଦିଆଯାଇଛି । ଆଉ ଏଥିପାଇଁ ପୋଲିସ ବିଭାଗକୁ ଧନ୍ୟବାଦ ଦେଇଛନ୍ତି ଟ୍ରାଫିକ କର୍ମଚାରୀ ।

ଟ୍ୱିନ ସିଟିରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢି ଚାଲିଥିବା ବେଳେ ଏହାର ସମାଧାନ ପାଇଁ ଅଣ୍ଟା ଭିଡିଛି କମିଶନରେଟ ପୋଲିସ । ଲୋକଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା ସୃଷ୍ଟି କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ୱେବ ପୋର୍ଟାଲ ଲଞ୍ଚ ହୋଇଛି । ଏହି ପୋର୍ଟାଲରେ ସାଧାରଣ ଲୋକଙ୍କ ପାଇଁ ଟ୍ୱିନ୍ ସିଟିର ଟ୍ରାଫିକ ନିୟମ ଓ ସମସ୍ତ ତଥ୍ୟ ଉପଲବ୍ଧ ରହିବ । ଏପରିକି ଟ୍ରାଫିକ ସମ୍ବନ୍ଧୀୟ ଯେକୌଣସି ପ୍ରଶ୍ନର ଉତ୍ତର ମଧ୍ୟ ଏହି ୱେବ ପୋର୍ଟାଲରେ ଉପଲବ୍ଧ ରହିବ । ଆଜି ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଏହି ୱେବ ପୋର୍ଟାଲର ଉଦଘାଟନ କରିଛନ୍ତି ପୋଲିସ କମିଶନର ୱାଇ.ବି ଖୁରାନିଆ ।

ସାଧାରଣତଃ ଟ୍ୱିନସିଟିର ଅଧିକାଂଶ ଲୋକ ଟ୍ରାଫିକ ନିୟମ ବାବଦରେ ଅଜ୍ଞ । ଯାହାଦ୍ୱାରା ଅନେକ ସମୟରେ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଟ୍ୱିନସିଟିବାସୀ । ତେଣୁ ଟ୍ରାଫିକ ନିୟମ ବିଷୟରେ ଲୋକମାନଙ୍କୁ ଅବଗତ କରିବା ପାଇଁ ଏହି ୱେବ ପୋର୍ଟାଲ ଲଞ୍ଚ କରାଯାଇଛି । ଏପରିକି ଲୋକମାନଙ୍କୁ ଟ୍ରାଫିକ ନିୟମ ନେଇ ସଚେତନ କରିବାକୁ ଏକ କୁଇଜ ପ୍ରତିଯୋଗିତା ମଧ୍ୟ ଆରମ୍ଭ କରାଯାଇଛି । ଚାରୋଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୧୦ଟି ଲେଖାଏଁ ପ୍ରଶ୍ନ ପଚରାଯିବ । ପ୍ରତ୍ୟେକ ପର୍ଯ୍ୟାୟରେ ୧୦ଟିରୁ ୪ଟି ଉତ୍ତର ଠିକ୍ ଦେଲେ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇପାରିବେ ପ୍ରତିଯୋଗୀ । ପ୍ରତିଦିନ ଠିକ୍ ଉତ୍ତର ଦେଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ୫ ଜଣଙ୍କୁ ବଛାଯିବ । ଯେଉଁମାନଙ୍କୁ ପରବର୍ତ୍ତୀ ପଯ୍ୟାୟରେ ପୁରସ୍କୃତ ମଧ୍ୟ କରାଯିବ । ଏହି ୱେବ ପୋର୍ଟାଲ ମାଧ୍ୟମରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିପାରିବେ ।