ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ସ୍ୱତନ୍ତ୍ର ସାମ୍ବିଧାନିକ ବେଂଚ ଶୁଣାଇବେ ରାୟ

230

କନକ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ୩୭୦ ଧାରା ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଆଗତ ପିଟିସନକୁ ସ୍ୱତନ୍ତ୍ର ସାମ୍ବିଧାନିକ ବେଂଚ ନିକଟକୁ ପଠାଇଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ଏହି ଆବେଦନ ଗୁଡ଼ିକ ଉପରେ ଆଜି ଠାରୁ ଶୁଣାଣି ହେବ । ବିଚାରପତି ଏମ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠରେ କାଶ୍ମୀର ସମ୍ପର୍କିତ ସବୁ ମାମଲାର ଶୁଣାଣି ହେବ । ଏହି ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତି ମାନେ ହେଲେ ଏସ୍ କେ. କାଉଲ, ଆର ସୁବାଷ ରେଡ୍ଡୀ, ବି.ଆର ଗଭାଇ ଏବଂ ସୂର୍ଯ୍ୟ କାନ୍ତା ।

source : Free Press Journal

ଅଗଷ୍ଟ ୫ରେ ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯାଇଥିଲା । ଏହାସହ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହରାଇଥିଲା ଜମ୍ମୁ ଓ କାଶ୍ମୀର । ଜମ୍ମୁ କାଶ୍ମୀର ଓ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଂଚଳ ଭାବେ ଘୋଷଣା କରାଯାଇଥିଲା । ଏହାପରେ ଜମ୍ମୁ ଓ କାଶ୍ମୀରରେ ବିଭିନ୍ନ ଜାଗାରେ କଟକଣା ଲଗାଯାଇଛି । ଏହାସହ ସେଠାକାର କିଛି ପ୍ରମୁଖ ନେତାଙ୍କୁ ମଧ୍ୟ ନଜରବନ୍ଦୀ ରଖାଯାଇଛି । ଏସବୁ ପ୍ରସଙ୍ଗ ନେଇ ଜମ୍ମୁ କାଶ୍ମୀର ସମେତ ଦେଶର କିଛି ନେତା, ସାମ୍ବାଦିକ ଓ ଶିକ୍ଷାବିତ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।