ବଡ ଦିଲୱାଲା ଏହି ଚା’ବାଲା ! କର୍ମଚାରୀଙ୍କୁ ସୁନାର ମୁଦି ସହ ଦେଇଥାନ୍ତି ପଂଚ ତାରକା ହୋଟେଲରେ ଖାଦ୍ୟ

40

ଆପଣ ଅଫିସରେ କାମ କରୁଥିବା କର୍ମଚାରୀମାନଙ୍କର ଅନେକ ସମସ୍ୟା ଶୁଣିଥିବେ । କାହାର ଭଲ ଦରମା ହେଲେ କାମ ଚାପରେ ମୁଣ୍ଡ ବ୍ୟଥା ହୁଏ । ଆଉ କାହାର କାମ ଅନୁସାରେ ଦରମା ଖୁବ୍ କମ୍ । ଆଉ କିଛି ଅଫିସରେ ଠିକ୍ ସମୟରେ ଦରମା ଆସିନଥାଏ । ଏପରିକି କିଛି କର୍ମକ୍ଷେତ୍ରରେ ମାଲିକ ତଥା ବସର ବ୍ୟବହାରରେ ମଧ୍ୟ ଅଶାନ୍ତି ଥାନ୍ତି କିଛି କର୍ମଚାରୀ । ଆପଣ ନିଜେ ମଧ୍ୟ ଭୁକ୍ତଭୋଗୀ ହୋଇଥିବେ ନିଶ୍ଚୟ । ହେଲେ ଯଦି ଆପଣ ଶୁଣନ୍ତି ଜଣେ ଚା’ ଦୋକାନୀ ନିଜ କର୍ମଚାରୀମାନଙ୍କୁ ଠିକ୍ ସମୟରେ ଦରମା ଦେବା ସହ ବିଭିନ୍ନ ପ୍ରକାର ଉପହାର ଏବଂ ସୁନା ମୁଦି ଦେଇଥାନ୍ତି ତେବେ ନିଶ୍ଚୟ ଭାବରେ ଭ୍ରୁ କୁଂଚିତ କରିବେ । ହେଲେ ଅବିଶ୍ୱସନୀୟ ଲାଗୁଥିବା ଏହି ଘଟଣାଟି ସତ ।

ଏହି ଚା’ ଦୋକାନଟି ହେଉଛି ଚେନ୍ନାଇରେ ଯାହାର ନାଁ ହେଉଛି ‘ଶିକାଗୋ ଟି ଷ୍ଟଲ୍’ । ଗତ ତିନି ଦଶନ୍ଧି ହେବ ଏହି ଚା’ ଦୋକାନଟି ଚଳାଉଛନ୍ତି ସୁକୁମାରନ୍ । ସୁକୁମାରନ୍ ନିଜ ଚା’ ଦୋକାନରେ କାମ କରୁଥିବା କର୍ମଚାରୀମାନଙ୍କୁ ଠିକ୍ ସମୟରେ ଦରମା ଦିଅନ୍ତି । ଏହା ସହ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଦିନ ସୁନା ମୁଦି ଦେବା ସହ ବିଭିନ୍ନ ପ୍ରକାର ଦାମୀ ଉପହାର ମଧ୍ୟ ଦେଇଥାନ୍ତି । କେବଳ ସେତିକି ନୁହେଁ ୫ ଷ୍ଟାର୍ ହୋଟେଲରେ ଖାଇବାକୁ ମଧ୍ୟ ଦେଇଥାନ୍ତି ।

ଚା’ ଦୋକାନ ପଛର କାହାଣୀ :
ସୁକୁମାରନଙ୍କ ଏହି ଚା’ ଦୋକାନ ପଛରେ ଏକ ରୋଚକ କାହାଣୀ ମଧ୍ୟ ଅଛି । ପ୍ରାୟ ୩୩ବର୍ଷ ପୂର୍ବେ ଚାକିରି କରିବା ଆଶାରେ ସେ ତାମିଲନାଡୁ ଆସିଥିଲେ । ଆସିବା ପରେ ଅନେକ ଚା’ ଦୋକାନରେ କାମ କରିବା ଆରମ୍ଭ କରିଥିଲେ । କିନ୍ତୁ ଦିନେ କୌଣସି କାରଣରୁ ଏକ ଚା’ ଦୋକାନୀଙ୍କ ସହ ଝଗଡା ହୋଇଥିଲା । ଏହି ଝଗଡା ପରେ ପରେ ସେ ଶିକାଗୋ ଟି ଷ୍ଟଲ୍ ନାମରେ ନିଜର ଏକ ଚା’ ଦୋକାନ ଖୋଲିଥିଲେ । ତେବେ ସୁକୁମାରନ୍ ନିଜ ଚା’ ଦୋକାନର ନାଁ ଶିକାଗୋ ଟି ଷ୍ଟଲ୍ ରଖିବାର କାରଣ ହେଲା ୧୮୬୪ରେ ଶିକାଗୋରେ ଶ୍ରମିକମାନଙ୍କର ଏକ ଆନ୍ଦୋଳନ ହୋଇଥିଲା । ଯେଉଁଥିରେ ଶ୍ରମିକ ମାନଙ୍କୁ ୮ ଘଂଟାରୁ ଅଧିକ କାମ ନକରିବାକୁ ଦାବି ହୋଇଥିଲା । ଏହି ଆନ୍ଦେଳନରେ ପ୍ରଭାବିତ ହୋଇ ସୁକୁମାରନ୍ ନିଜ ଚା’ ଦୋକାନର ନାଁ ରଖିଥିଲେ ।

ସୁକୁମାରନଙ୍କ ଚା’ ଦୋକାନ ସେହି ଅଂଚଳରେ ଖୁବ୍ ଲୋକପ୍ରିୟ । ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ବି ଗ୍ରାହକ ଅଛନ୍ତି ଯେଉଁମାନେ ଦୀର୍ଘ ୧୦ବର୍ଷ ହେବ ଏହି ଦୋକାନକୁ ଆସୁଛନ୍ତି । ପ୍ରତିଦିନ ହଜାର ହଜାର ଗ୍ରାହକ ତାଙ୍କ ଦୋକାନକୁ ଆସିଥାନ୍ତି । ସୁକୁମାରନ୍ ନିଜ କର୍ମଚାରୀମାନଙ୍କର ବିଶେଷ ଧ୍ୟାନ ରଖିଥାନ୍ତି ।

କର୍ମଚାରୀଙ୍କୁ କେତେ ଦରମା ଦେଇଥାନ୍ତି :
ସୁକୁମାରନ୍ ନିଜ ହେଡ୍ କୁକଙ୍କୁ ୭୦୦ଟଙ୍କା ଦେଇଥାନ୍ତି । ସେହିପରି ଚା’ ତିଆରି କରୁଥିବା ବ୍ୟକ୍ତିଙ୍କୁ ପ୍ରାୟ ୫୦୦ଟଙ୍କା ଦେଇଥାନ୍ତି । ଅନ୍ୟ କର୍ମଚାରୀମାନଙ୍କୁ ପ୍ରାୟ ୪୦୦ଟଙ୍କା ଦେଇଥାନ୍ତି । ଏହା ସହ ଶ୍ରମିକ ଦିବସ ଦିନ ଖାସ୍ ଉପହାର ଦେଇଥାନ୍ତି । ଯେଉଁଥିରେ ଥାଏ ସୁନା ମୁଦି, କପଡା ଏବଂ ୫ ଷ୍ଟାର୍ ହୋଟେଲରେ ଖାଇବା ।