ଦେବ୍ରିଗଡରେ ବୁଲୁଛି ମହାବଳ। ଜଙ୍ଗଲ ଭିତରକୁ ପ୍ରବେଶ ଦୃଶ୍ୟ କ୍ୟାମେରାରେ କଏଦ ପରେ ତତ୍ପର ହେଲା ବନବିଭାଗ। 

210

କନକ ବ୍ୟୁରୋ: ଦେବ୍ରିଗଡ ଅଭୟାରଣ୍ୟରେ ବୁଲୁଛି ବାଘ । ପ୍ରବେଶ ପଥ ଦେଇ ରାସ୍ତାରେ ଅତି ସନ୍ତର୍ପଣରେ ଜଙ୍ଗଲ ଭିତରକୁ ପ୍ରବେଶ କରୁଛି ମହାବଳ । ଅଭୟାରଣ୍ୟର ମୁଖ୍ୟ ଦ୍ୱାରର ପଏଣ୍ଟଜିରୋରୁ ଜଙ୍ଗଲ ଭିତରକୁ ଯାଇଥିବା ରାସ୍ତାରେ କିଛି ବାଟ ବୀରଦର୍ପରେ ଚାଲିବା ପରେ ମହାବଳ ଜଙ୍ଗଲ ଭିତରକୁ ଯାଇଛି ଏହି ଯୁବ ମହାବଳ । ଆଉ ଯେଉଁ ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି ବନ କର୍ମଚାରୀ ଓ ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକ । ଗତ ଗୁରୁବାର ସଂଧ୍ୟା ସମୟରେ ଏଭଳି କିଛି ଦୃଶ୍ୟ ଏବେ ପଶୁପ୍ରେମୀଙ୍କ ପାଇଁ ଆଣିଛି ଖୁସି ଖବର । ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ ଦେଖାଯିବା ପରେ ସୁରକ୍ଷାକୁ ନେଇ ତତ୍ପର ହୋଇଉଠିଛି ବନବିଭାଗ । ୨ଟି ଟାଇଗର ମନିଟରିଂ ଟିମ, ୧୨ଟ ପେଟ୍ରୋଲିଂ ଟିମ ଓ ଶହେଟି କ୍ୟାମେରା ଯୋଗେ ବାଘର ଗତିବିଧି ଉପରେ ନଜର ରଖାଯାଇଛି ।

ଦେବ୍ରିଗଡ଼ ଅଭୟାରଣ୍ୟରେ ପୂର୍ବରୁ କେବେ ମହାବଳ ବାଘ ଦେଖାଯାଇନଥିବା ବେଳେ, ୨୦୧୮ରେ ସମାନ ଭାବରେ ଏକ ମହାବଳ ପ୍ରବେଶ କରିଥିଲା । କିନ୍ତୁ ବନବିଭାଗର ବେପରୁଆ ମନୋଭାବ ପାଇଁ ଅଳ୍ପଦିନ ଭିତରେ ଶିକାରୀଙ୍କ ହାତରେ ତାର ପ୍ରାଣ ଯାଇଥିଲା ।

ମହାବଳକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଫେଲ ମାରିଥିଲା ବନବିଭାଗ । ଅଭୟାରଣ୍ୟ ଉପକଣ୍ଠରେ ବାଘକୁ ମାରି ତାର ଦାନ୍ତ ଓ ନଖ ନେଇ ମୃତଦେହକୁ ପୋତି ଦେଇଥିଲେ ଶିକାରୀ । ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୈାଣସି ସୂତ୍ରରୁ ସୂଚନା ପାଇ ଏହି ଖବର ଲୋକ ଲୋଚନକୁ ଆଣିଥିଲେ । କିନ୍ତୁ ସେତେବେଳେ ଏହା ଏକ କଲରାପତରିଆ ବାଘ ବୋଲି କହି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଥିଲେ । ଅବଶ୍ୟ ପରେ ଏହି ଘଟଣାରେ ୪ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ତେଣୁ ଏବେ ଏହି ବାଘକୁ ସୁରକ୍ଷା ଦେବା ବନବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ।

ପଡ଼ୋଶୀ ଛତିଶଗଡ଼ରୁ ବାଘଟି ଏଠାକୁ ଆସିଥିବା ସନ୍ଦେହ କରାଯାଉଛି । ତେଣୁ ବାଘ ଦେବ୍ରିଗଡ଼ ଅଭୟାରଣ୍ୟରେ ରହୁଛି କି ଅନ୍ୟ କୁଆଡ଼େ ଯାଉଛି ତା ଉପରେ ନଜର ରଖାଯାଇଛି । ତେବେ ୨୦୧୮ର ଘଟଣା ଯେପରି ପୁନରାବୃତି ନହୁଏ ସେଥିପାଇଁ ସତର୍କ ହୋଇଉଠିଛି ବନବିଭାଗ ।