ଅବସରପ୍ରାପ୍ତ ବିଏସଏଫ୍ ଯବାନଙ୍କ ଧଳା ଘୁଷୁରି ଚାଷ, ପାଳନ କରିଛନ୍ତି ୩ଶହରୁ ଅଧିକ ଘୁଷୁରି

137

କନକ ବ୍ୟୁରୋ : ଅବସରପ୍ରାପ୍ତ ବିଏସଏଫ୍ ଯବାନଙ୍କ ଧଳା ଘୁଷୁରି ଚାଷ । ନିଜ ବଗିଚାରେ ଏକ ଫାର୍ମ ପ୍ରତିଷ୍ଠା କରିବା ସହିତ ପାଳନ କରିଛନ୍ତି ୩୦୦ରୁ ଉର୍ଦ୍ଧ ଘୁଷୁରି । ଏହି ଘୁଷୁରି ମାନଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରୟ କରି ରୋଜଗାର କରିରୁଛନ୍ତି ବାର୍ଷିକ ଲକ୍ଷାଧିକ ଟଙ୍କା । ନିଜ ଫାର୍ମରେ ୩ ଜଣ ଯୁବକଙ୍କୁ ନିଯୁକ୍ତି ଦେବା ସହିତ ହୋଇ ପାରିଛନ୍ତି ଆତ୍ମନିର୍ଭରଶୀଳ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ରଙ୍କାଳ ଗାଁର ଅବସରପ୍ରାପ୍ତ ବିଏସଏଫ୍ ଯବାନ ପ୍ରଶାନ୍ତ କୁମାର ପରିଡାଙ୍କ ଧଳା ଘୁଷୁରି ଚାଷ ଏବେ ଅନ୍ୟମାନଙ୍କ ପାଇଁ ରୋଜଗାରର ନୂଆ ରାସ୍ତା ଦିଗଦର୍ଶନ ଦେଇଛି । ବାର୍ଷିକ ୧୦ ଲକ୍ଷରୁ ଅଧିକ ଟଙ୍କାର ରୋଜଗାର ଦେଉଛି ଏହି ଫାର୍ମ । ଘୁଷୁରି ଫାର୍ମ ପ୍ରତିଷ୍ଠା କରିବା ପାଇଁ ପ୍ରାୟ ୪୦ ଲକ୍ଷଟଙ୍କା ଖର୍ଚ୍ଚ କରିଛନ୍ତି ପ୍ରଶାନ୍ତ । ସେ ୟୁଟ୍ୟୁବରୁ ଏହି ଚାଷ ବିଷୟରେ ପ୍ରେରଣା ପାଇଥିଲେ । ପ୍ରଥମେ ଯାଜପୁର ଜିଲ୍ଲା ଛତିଆରେ ଥିବା ଘରୋଇ ଫାର୍ମରୁ ୩୦ ଗୋଟି ଘୁଷୁରି ଚାଷ ପାଇଁ ଆଣିଥିଲେ । ଏହି ଘୁଷୁରି କ୍ରମଶଃ ବଢି ବଢି ଏବେ ପ୍ରାୟ ୩୦୦ରେ ପହଁଚିଲେଣି ।

ସୋୟା, ମକା, ଖୁଦ ଭଳି ଖାଦ୍ୟ ଘୁଷୁରି ଖାଇବାକୁ ଦିଆଉଥିବା ବେଳେ ୭ ମାସ ଭିତରେ ଏହା ବିକ୍ରି ଉପଯୋଗୀ ହୋଇଥାଏ । ବାହାର ରାଜ୍ୟରେ ଘୁଷୁରି ମାଂସ କେଜି ପ୍ରତି ପ୍ରାୟ ୧୩୫ ଟଙ୍କା ଦାମରେ ବିକ୍ରି ହେଉଥିବା ବେଳେ ସ୍ଥାନୀୟ ଅଂଚଳରେ ପ୍ରାୟ ୧୫୦ ଟଙ୍କାରେ ବିକ୍ରି ହେଉଛି । ଏହି ଘୁଷୁରି ଆସାମ, ମେଘାଳୟ ଏବଂ ନାଗାଲ୍ୟାଣ୍ଡ ଭଳି ବାହାର ରାଜ୍ୟକୁ ରପ୍ତାନି କରିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମଧ୍ୟ ବିକ୍ରୟ ପାଇଁ ପଠାଇଥାଆନ୍ତି ପ୍ରଶାନ୍ତ । ଏହା ଏକ ଲାଭଜନକ ବ୍ୟବସାୟ ହୋଇଥିବା ବେଳେ ଏମାନେ ବର୍ଷକୁ ଦୁଇଥର ଛୁଆ ଦେଇଥାଆନ୍ତି । ଖୁବ୍ କମ୍ ଦିନ ବ୍ୟବଧାନରେ ଏମାନେ ବଡ଼ ହୋଇଥାଆନ୍ତି । ଥରକେ ୭ରୁ ୮ଟି ଛୁଆ ଦେଇଥାଆନ୍ତି ।

ଦେଢ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଫାର୍ମ ବାର୍ଷିକ ୧୦ ଲକ୍ଷରୁ ଅଧିକ ରୋଜଗାର ଦେଉଛି । ଆଉ ରୋଜଗାରର ଭଲ ମାଧ୍ୟମ ପାଲଟିଛି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ।