ଶୀତଦିନର କୋବି ଚାଷ ଚାଷୀଙ୍କୁ ଦେଇଛି ରୋଜଗାର । ଉତ୍ପାଦିତ କୋବି ରାଜ୍ୟ ବାହାରେ ବି ପାଇଛି ପରିଚୟ

78

କନକ ବ୍ୟୁରୋ : ଶୀତଦିନର କୋବି ଚାଷ ଏଠି ଚାଷୀଙ୍କୁ ଦେଇଛି ରୋଜଗାର । ଧିରେ ଧିରେ ଲୋକେ ଚାଷରୁ ମୁହଁ ଫେରାଇ ନେଉଥିବା ବେଳେ ଯାଜପୁର ଜିଲ୍ଳା ଧର୍ମଶାଳା ଓ ରସୁଲପୁର ବ୍ଲକର ଚାଷୀମାନେ ଚାଷ ପାଇଁ ପାଇଛନ୍ତି ସ୍ୱତନ୍ତ୍ର ପରିଚୟ । ଏହି ଅଂଚଳର ଚାଷୀମାନେ କୋବି ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଥିବା ବେଳେ ଶୀତଳଭଣ୍ଡାର ନଥିବାରୁ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ସଂରକ୍ଷିତ ହୋଇ ରହିପାରୁନାହିଁ । ଅନ୍ୟପଟେ ଏଠାରୁ ଉତ୍ପାଦିତ ଚାଷୀ କିଆରୀର ଫୁଲକୋବି, ବନ୍ଧା କୋବି କଲିକତା ଓ ହାଇଦ୍ରାବାଦରେ ପହଂଚୁଛି ।

ଚାଷୀର ହାଡଭଙ୍ଗା ପରିଶ୍ରମରେ ସବୁଜିମା ପାଲଟିଛି କ୍ଷେତ । ଏକର ଏକର ଚାଷ ଜମିରେ ଫଳିଛି ଆଖି ଝଲସିଲା ଭଳି ଫସଲ । ଧର୍ମଶାଳା ଓ ରସୁଲପୁର ବ୍ଲକରେ ଶହଶହ ଏକର ଜମିରେ ଫଳିଛି ବନ୍ଧା କୋବି ଓ ଫୁଲ କୋବି । ଏହି ବ୍ଳକର ଜେନାପୁର, କୁସ୍ତିରା, କମାଗଡ, ଅଂଟିଆ, ବାରବାଟି, ଅର୍ତିଆ, କୁସୁନୁପୁର, ନଠୁଆବର, କଲଣ, ଶୁଳିଆ, ଓଡିଶୋ, ଅଣ୍ଡେଇଗୋଡା ପ୍ରଭୃତି ଅଂଚଳର ଚାଷୀ କୋବି ଚାଷ କରିଛନ୍ତି । ଫର୍ଟି, ନାମଧାରୀ, ତେଜର ଭଳି ବିହନ ବ୍ୟବହାର କରୁଥିବା ବେଳେ ସେପ୍ଟେମ୍ବର ମାସରୁ ଏହି ଚାଷ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ମାତ୍ର ଚାଳିଶି ଦିନ ଭିତରେ ଏହି ଫସଲ ଅମଳ ହେଉଥିବା ବେଳେ ଚାଷୀ ମଧ୍ୟ ଦୁଇପଇସା ରୋଜଗାର କରିଥାଏ । ଏପରିକି ଏହି ଅଂଚଳର ଫୁଲ ଓ ବନ୍ଧା କୋବି କଲିକତା, ହାଇଦ୍ରାବାଦକୁ ମଧ୍ୟ ରପ୍ତାନି ହୋଇଥାଏ   । ମାତ୍ର ଏଠାରେ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ସେମାନଙ୍କ ଉତ୍ପାଦିତ ପରିବା ଅନେକ ସମୟରେ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଥାଏ ।

ବର୍ତମାନ ରସୁଲପୁର ଓ ଧର୍ମଶାଳା ଅଂଚଳରେ ଚାଷୀ ଉତ୍ପାଦିତ ଫୁଲକୋବି ଓ ବନ୍ଧା କୋବିର ଯଥେଷ୍ଟ ଚାହିଦା ରହିଛି । ଚାଷୀ ନିଜର ଉତ୍ପାଦିତ ସାମଗ୍ରୀକୁ ସ୍ଥାନୀୟ ବାରବାଟି ହାଟରେ ପ୍ରତିଦିନ ବିକ୍ରିକରି ଦୁଇପଇସା ରୋଜଗାର କରିପାରୁଛି । ଏଠାରୁ ପ୍ରତିଦିନ ସକାଳୁ ଗାଡି ଯୋଗେ ଭଦ୍ରକ, କଟକ, ଜଟଣୀ, ପୁରୀ ସମେତ କଲିକତା ଓ ହାଇଦ୍ରାବାଦକୁ ରପ୍ତାନୀ ହେଉଛି । ତେବେ ଉତ୍ପାଦନ ତୁଳନାରେ ଚାଷୀ ଉପଯୁକ୍ତ ମୂଲ୍ୟ ପାଉନଥିବା ଅଭିଯୋଗ କରିଛନ୍ତି । ସାର ଓ କୀଟନାଶକ ଦର ବଢୁଥିବା ବେଳେ ସାମଗ୍ରୀ ମହଜୁଦ ରଖିବା ପାଇଁ ସୁବିଧା ନଥିବାରୁ ଅନେକ ସମୟରେ ଫସଲ ପଚିସଢି ଯାଉଛି । ଜଳସେଚନର ସୁବିଧା ଓ ପ୍ରୋତ୍ସାହନ ମିଳିଲେ ଚାଷ କାମରେ ଆହୁରି ଉନ୍ନତି ଆସିପାରନ୍ତା ବୋଲି କହିଛନ୍ତି ଚାଷୀ ।

ଶୀତଦିନେ କୋବିଚାଷ ପାଇଁ ସ୍ୱତନ୍ତ୍ର ପରିଚୟ ପାଇଥିବା ରସୁଲପୁର ଓ ଧର୍ମଶାଳା ଅଂଚଳର ଚାଷୀଙ୍କୁ ସରକାରୀ ସ୍ତରରେ ଶୀତଳଭଣ୍ଡାରର ବ୍ୟବସ୍ଥା କରାଗଲେ ଚାଷୀର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରନ୍ତା ।