ଚାଷ ଜମିରେ ମାଡିଗଲା ବନ୍ୟାଜଳ : ବ୍ରହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁଁ ରାଜନଗର ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ, ହୋଇପାରୁନି ଜଳ ନିଷ୍କାସନ; ଚିନ୍ତାରେ ଚାଷୀ

168

କନକ ବ୍ୟୁରୋ : ଅଗଷ୍ଟ ପ୍ରଥମ ସପ୍ତାହରେ ବର୍ଷା ଅଭାବରୁ ଚାଷ କାମ ଆଗେଇପାରୁନଥିଲା । ଏବେ କିନ୍ତୁ ଲଗାଣବର୍ଷାରେ ଚାଷଜମିରେ ମାଡିଯାଇଛି ପାଣି । ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁଁ ରାଜନଗରର ଚାଷଜମିରେ ବନ୍ୟାପାଣି ପଶିଯାଇଛି । ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ନିଷ୍କାସନ ବାଟ ବନ୍ଦ ହୋଇଯାଇଥିବାରୁ ବିଲରେ ବର୍ଷାପାଣି କମିଯାଇଛି । ଫଳରେ ରୁଆପୋତା କାମ ସାରିଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି ।

ସେପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । ଦୁଇଦିନ ଧରି ବସ୍ତା ଅଂଚଳରେ ବର୍ଷା ଲାଗି ରହିବା ସହ ନଦୀର ଉପର ମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଛି । ମାଥନୀଠାରେ ବିପଦ ସଙ୍କେତ ୫ ଦଶମିକ ୫୦ ମିଟର ଥିବାବେଳେ ଜଳସ୍ତର ରହିଛି ୬ ଦଶମିକ ୬୨ ମିଟର । ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର, ମୋରଡା, ଚିତ୍ରଡା, ସୁଳିଆପଦା ଅଂଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇଛି । ଦୁଇଦିନ ହେବ ବସ୍ତା ଅଂଚଳରେ ପ୍ରବଳ ବର୍ଷା ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଯଦି ବର୍ଷା ଲାଗି ରହେ ତାହାହେଲେ ବସ୍ତା ବ୍ଲକର ୨ଟି ପଂଚାୟତ ଓ ସଦର ବ୍ଲକର ୨ଟି ପଂଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି ।