ଡାକ୍ତର ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସଂପନ୍ନ କରିବା ପାଇଁ ନିଷ୍ପତ୍ତି

294

କନକ ବ୍ୟୁରୋ: ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ ପରିଡା ଜାତୀୟସ୍ତରରେ ଜଣେ ଉଚ୍ଚକୋଟୀର ବୈଜ୍ଞାନିକ ଥିଲେ । ଗବେଷଣା କ୍ଷେତ୍ରରେ ଓଡିଶାର ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସ୍ୱୀକୃତି ମିଳିବା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କରୋନା ସମୟରେ ଡାକ୍ତର ପରିଡା ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ସହାୟତା ଯୋଗାଇ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତାଙ୍କ ବିୟୋଗରେ ଦେଶ ଜଣେ ବିଶିଷ୍ଟ ବୈଜ୍ଞାନିକଙ୍କୁ ହରାଇଲା ବୋଲି ପ୍ରକାଶ କରିବା ସହିତ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ସଂପାଦନ କରାଯିବ ବୋଲି ଘୋଷଣା କରିଛନ୍ତି । ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।