ବିଧାୟକଙ୍କ ପରେ ଏବେ ସାଂସଦଙ୍କ ପାଳି: ମହାରାଷ୍ଟ୍ରରେ ବିଦ୍ରୋହୀ ହେଲେଣି ଉଦ୍ଧବ ଗୋଷ୍ଠୀର ସାଂସଦ

101

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ହଲଚଲ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଆସନ ପରେ ଏବେ ଦଳକୁ ନେଇ ଚାଲିଛି ଟଣାଓଟରା । କିଛି ଦିନ ପୂର୍ବରୁ ଉଦ୍ଧବ ଠାକରେଙ୍କ ବିଧାୟକଙ୍କ ଗୋଷ୍ଠୀ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ମୌକା ଦେଖି ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ ବିଦ୍ରୋହୀ ଗୋଷ୍ଠୀ ନେତା ଏକନାଥ ସିନ୍ଦେ । ଏହି ବିବାଦକୁ କିଛି ଦିନ ନପୁରୁଣୁ ଏବେ ଉଦ୍ଧବଙ୍କ ସାଂସଦ ଗୋଷ୍ଠୀରେ ବିଦ୍ରୋହ ଦେଖାଦେଲାଣି । ମହାରାଷ୍ଟ୍ର ରାଜ୍ୟରାଜନୀତିରେ ହେଉଥିବା ଚର୍ଚ୍ଚା ଅନୁସାରେ ମଙ୍ଗଳବାର ୧୨ଜଣ ସାଂସଦ ଦିଲ୍ଲୀରେ ପହଁଚି ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ କରିପାରନ୍ତି । ସୋମବାର ଶିବସେନାର ୧୮ଜଣ ସାଂସଦଙ୍କ ମଧ୍ୟରୁ ୧୨ଜଣ ଏକନାଥ ସିନ୍ଦେଙ୍କ ସହ ଅନଲାଇନ ବୈଠକ ମଧ୍ୟ କରିଛନ୍ତି । ଶିବସେନାର ନୂଆ ଗୋଷ୍ଠୀ ମାନ୍ୟତା ମିଳୁ ବୋଲି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିବ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ସମର୍ଥନ ଜଣାଉଥିବା ଏହି ୧୨ ସାଂସଦ । ଏଥିସହ ନିଜର ଦାବି ବାବଦରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ମଧ୍ୟ ଚିଠି ଦେଇପାରନ୍ତି ।

ସେପଟେ ଦଳକୁ ବଂଚାଇବାକୁ ପାଇଁ ଉଦ୍ଧବ ଠାକରେ ନିର୍ବାଚକ କମିଶନଙ୍କ ଦ୍ୱାରସ୍ଥ ହେବା ସହ ବାକ ଯୁଦ୍ଧ ଆରମ୍ଭ ହୋଇଛି । ଶିବସେନା ନେତା ସଂଜୟ ରାଉତ ଟୁଇଟ କରି ଏକାନାଥ ସିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି । ଟଣାଓଟରା ଭିତରେ ବିଜେପି ଆଉ ଏକ ଚାଲ ଖେଳିଛି । ଉଦ୍ଧବ ଗୋଷ୍ଠୀର ୧୨ଜଣ ବିଦ୍ରୋହୀ ସାଂସଦଙ୍କୁ ସରକାର ୟାଇ ଶ୍ରେଣୀର ସୁରକ୍ଷା ପ୍ରଦାନ କରିଛନ୍ତି । ସୋମବାର ସୁରକ୍ଷା ଆଳ ଦେଖାଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସାଂସଦମାନେ ସୁରକ୍ଷା ମାଗି ଚିଠି ଲେଖିଥିଲେ । ସେପଟେ ଉଦ୍ଧବ ଗୋଷ୍ଠୀକୁ ଗୋଟେ ପରେ ଗୋଟେ ଚ୍ୟାଲେଂଜ ଦେଉଛି ସିନ୍ଦେ ଗୋଷ୍ଠୀ । ସୋମବାର ନୂଆ କାର୍ଯ୍ୟକାରୀଣି କମିଟି ଗଠନ କରିବା ସହ ନିଜ ବିଧାୟକଙ୍କ ବିପୁଳ ସମର୍ଥନରେ ନେତା ଭାବେ ସିନ୍ଦେଙ୍କୁ ବଛାଯାଇଛି ।

ଏହି ସମସ୍ତ ଘଟଣାକ୍ରମକୁ ଦେଖିଲେ ଗୋଟେ ଚିତ୍ର ସ୍ପଷ୍ଟ ହେଉଛି କି ସିନ୍ଦେ ଓ ବିଜେପିର ଚକ୍ରବ୍ୟୁହରେ ଉଦ୍ଧବ ବର୍ତମାନ ଏଭଳିଭାବେ ଫଶିଛନ୍ତି କି ସେଥିରୁ ମୁକୁଳିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ସେପଟେ ବିିଜେପି ବିଚାରଧାରାକୁ ବିରୋଧ କରି ଯେଉଁମାନେ ଉଦ୍ଧବଙ୍କ ସହ ଥିଲେ ଏବେ ସେମାନେ କ୍ଷମତା ଲୋଭରେ ବିଜେପି ଓ ସିନ୍ଦେ ଗୋଷ୍ଠୀ ଆଡକୁ ଢଳିବାରେ ଲାଗିଛ ।