ଚିନ୍ତା ବଢ଼ାଉଛି ରେଡ୍ ଜୋନ୍ । ଯାଜପୁର ଜିଲ୍ଲାରେ ସଂକ୍ରମଣ ହାର ୨୩ ଦଶମିକ ୫ ପ୍ରତିଶତ । ପୁରୀ, ଖୋର୍ଦ୍ଧା ଏବଂ କଟକ ବଢ଼ାଉଛି ସମସ୍ୟା

339

କନକ ବ୍ୟୁରୋ: ଲକଡାଉନକୁ ସରକାର ଆଂଶିକ କୋହଳ କରିଥିବା ବେଳେ ୧୩ଟି ଜିଲ୍ଲାକୁ କାଟାଗୋରୀ ବି ରେ ରଖାଯାଇଛି । ଏହି ଜିଲ୍ଲାଗୁଡିକରେ ସକାଳ ୬ରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲିବ । ପୂର୍ବରୁ ଏହା ୧୧ ଟା ପର୍ଯ୍ୟନ୍ତ ଥିଲା । ଉପକୂଳ ଓ ଉତର ଓଡ଼ିଶାର ଏହି ଜିଲ୍ଲାରେ ମାପିଚୁପି କଟକଣାକୁ କୋହଳ କରୁଛନ୍ତି ସରକାର । ଏହାର କାରଣ ହେଉଛି ଏଠାରେ ସଂକ୍ରମଣ ହାର ଅଧିକ ରହିଛି, ସକ୍ରିୟ ସଂକ୍ରମଣ ମଧ୍ୟ ଅଧିକ ରହିଛି ।

ସବୁଠୁ ଅଧିକ ରହିଛି ଯାଜପୁର ଜିଲ୍ଲାର ସଂକ୍ରମଣ ହାର । ୨୩.୫ ପ୍ରତିଶତ ରହିଛି ସଂକ୍ରମଣ ହାର । ଏହାର ଅର୍ଥ ହେଉଛି ଯଦି ଏହି ଜିଲ୍ଲାରେ ୧୦୦ ଜଣ କରୋନା କରୀକ୍ଷା କରାଉଛନ୍ତି ୨୩ରୁ ଅଧିକ ଲୋକ ପଜିଟିଭ୍ ଆସିଛନ୍ତି । ଏହା ତଳକୁ ରହିଛି ପୁରୀ ଜିଲ୍ଲା । ଏଠାରେ ସଂକ୍ରମଣ ହାର ୧୨.୪ ପ୍ରତିଶତ । ଅର୍ଥାତ୍ ପ୍ରତି ୮ ଜଣ କରୋନା ପରୀକ୍ଷା କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ପଜିଟିଭ୍ ଆସୁଛନ୍ତି । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ହାର ରହିଛି ୯.୫ ପ୍ରତିଶତ । କାଟାଗୋରି ବି ରେ ଥିବା ୧୩ ଜିଲ୍ଲାରୁ ଏହି ୪ଟି ଜିଲ୍ଲାର ସଂକ୍ରମଣ ଅଧିକ ଚିନ୍ତାଜନକ ରହିଛି ।

ବାଲେଶ୍ୱର ଓ କେନ୍ଦୁଝରରେ ସଂକ୍ରମଣ ହାର ୮ ପ୍ରତିଶତ ଉପରେ ରହିଛି । ୭ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ରହିଛି ନୟାଗଡ଼ ଓ ମୟୂରଭଂଜ ଜିଲ୍ଲାରେ । ଭଦ୍ରକରେ ପଜିଟିଭ୍ ରେଟ୍ ୬.୯ ପ୍ରତିଶତ ରହିଥିବା ବେଳେ ଢ଼େଙ୍କାନାଳରେ ରହିଛି ୬.୫ ପ୍ରତିଶତ । କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଅନଗୁଳରେ ସଂକ୍ରମଣ ହାର ଅପେକ୍ଷାକୃତ କମ ଥିଲେ ବି ପଡୋଶୀ ଜିଲ୍ଲାକୁ ଦୃଷ୍ଟିରେ ରଖି ଲକଡାଉନ୍ରେ ଅଧିକ କୋହଳ କରାଯାଇନାହିଁ । ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ସଂକ୍ରମଣ ହାରକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।